କଂଗ୍ରେସ ହାଇକମାଣ୍ଡଙ୍କ ମଞ୍ଜୁରୀ : ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ହେବେ ସୁଖୁ

ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ନେଇ ସୁଖଓ୍ବିନ୍ଦର ସିଂ ସୁଖୁଙ୍କ ନାମକୁ କଂଗ୍ରେସ ହାଇକମାଣ୍ଡଙ୍କ ମଞ୍ଜୁରୀ ମିଳିଛି। ସେ ହିମାଚଳ କଂଗ୍ରେସର କ୍ୟାଂପେନିଂ କମିଟି ଚେୟାରମ୍ୟାନ ଅଛନ୍ତି। ତାଙ୍କ ସପକ୍ଷରେ ଅଧିକ କଂଗ୍ରେସ ବିଧାୟକଙ୍କ ସମର୍ଥନ ଥିବା ଜଣାପଡ଼ିଛି। ଏହି ଆଧାରରେ ତାଙ୍କୁ ହିମାଚଳ ପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ କରିବା ନେଇ କଂଗ୍ରେସ ହାଇକମାଣ୍ଡ ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି ।
ହାଇକମାଣ୍ଡଙ୍କ ପକ୍ଷରୁ ରାଜ୍ୟରେ ଉପମୁଖ୍ୟମନ୍ତ୍ରୀ ଭାବେ ମୁକେଶ ଅଗ୍ନିହୋତ୍ରୀଙ୍କୁ ନିଯୁକ୍ତ କରାଯାଇଛି। ରବିବାର ସୁଖଓ୍ବିନ୍ଦର ସିଂ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ଏନେଇ ହିମାଚଳ ପ୍ରଦେଶ ରାଜ୍ୟ କଂଗ୍ରେସ ପ୍ରଭାରୀ ରାଜୀବ ଶୁକ୍ଲା ସୂଚନା ଦେଇଛନ୍ତି।
୬୮ ଆସନ ବିଶିଷ୍ଟ ହିମାଚଳ ବିଧାନସଭା ଆସନରୁ କଂଗ୍ରେସ ୪୦ଟି ଜିତି ସଂଖ୍ୟାଗରିଷ୍ଠ ହାସଲ କରିଛି। ଏନେଇ କଂଗ୍ରେସ ହାଇକମାଣ୍ଡ ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି । ତେବେ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା ପରେ ପ୍ରତିଭାଙ୍କ ସମର୍ଥକମାନେ ରାସ୍ତାକୁ ଓହ୍ଲାଇବାର ଆଶଙ୍କା ବଢିଯାଇଛି । ସରକାରରେ ୨ ଜଣ ଉପମୁଖ୍ୟମନ୍ତ୍ରୀ ରହିପାରନ୍ତି ବୋଲି ମଧ୍ୟ ଚର୍ଚ୍ଚା ହେଉଛି। କାରଣ ରାଜ୍ୟ କଂଗ୍ରେସ ମୁଖ୍ୟ ପ୍ରତିଭା ସିଂଙ୍କ ଗୋଷ୍ଠୀ ସୁଖୁଙ୍କ ନାମକୁ ନେଇ ପୂର୍ବରୁ ହିଁ ଖୋଲାଖୋଲି ଅସନ୍ତୋଷ ପ୍ରକଟ କରିସାରିଛି ।
ଅନ୍ୟପଟେ ସୁଖୁଙ୍କ ନାଁ ଚର୍ଚ୍ଚାରେ ଥିଲେ ମଧ୍ୟ ସେ ମୁଖ୍ୟମନ୍ତ୍ରୀ ହେବାକୁ ଆଦୌ ଆଶା କରି ନଥିବା କହିଛନ୍ତି। ସେ କହିଛନ୍ତି, “ମୁଁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ନୁହେଁ। ମୁଁ ଜଣେ ଶୃଙ୍ଖଳିତ ସୈନ୍ୟ। କଂଗ୍ରେସ ଦଳ ଓ ବିଧାୟକ ଭାବେ ମୁଁ କାମ କରୁଛି ଏବଂ ଆଗକୁ ମଧ୍ୟ ମୋର କାମ ଜାରି ରହିବ। ହାଇକମାଣ୍ଡଙ୍କ ନିଷ୍ପତ୍ତି ହିଁ ଚୂଡ଼ାନ୍ତ।”
Powered by Froala Editor