୩୧ଜଣ ଦାଦନ ଶ୍ରମିକ ଉଦ୍ଧାର
ବଲାଙ୍ଗିର : ଦାଦନ ଶ୍ରମିକ ବ୍ୟାପକ ସଚେତନତା ସତ୍ତ୍ୱେ ବେଆଇନ ଦାଦନ ଚାଲାଣ କମିବା ନାଁ ଧରୁନି । କାମ ଯୋଗାଇଦେବାର ପ୍ରଲୋଭନ ଦେଖାଇ ଆନ୍ଧ୍ରପ୍ରଦେଶ ଚାଲାଣବେଳେ ବଲାଙ୍ଗିର ରେଲୱେ ଷ୍ଟେସନରୁ ୩୧ଜଣ ଦାଦନ ଶ୍ରମିକ ଉଦ୍ଧାର କରିଛି ପୁଲିସ । ଉଦ୍ଧାର ଶ୍ରମିକଙ୍କ ମଧ୍ୟରେ ୧୨ ପୁରୁଷ, ୧୩ ଜଣ ମହିଳା ଓ ୬ ଜଣ ଛୋଟ ଛୁଆ ଥିବା ଜଣାପଡିଛି । ସମସ୍ତଙ୍କ ଘର ବରଗଡ ଜିଲ୍ଲା ବିଜେପୁର ନିର୍ବାଚନ ମଣ୍ଡଳୀ ଗାଇସିଲେଟ ବ୍ଲକ ଅଂଚଳର ବୋଲି ଜଣାଯାଇଛି ।
ଗତକାଲି ୩୧ଜଣ ଦାଦନ ଶ୍ରମିକଙ୍କୁ ଇଟା ଭାଟିରେ କାମ କରିବାକୁ ଆନ୍ଧ୍ରପ୍ରଦେଶ ଚାଲାଣ କରାଯାଉଥିଲା । ବଲାଙ୍ଗିର ପୁଲିସ କୌଣସି ସୂତ୍ରରୁ ଖବର ପାଇଥିଲା । ଏନେଇ ଷ୍ଟେସନରେ ଜଗି ରହିଥିଲା । ଦାଦନ ଶ୍ରମିକମାନେ ଷ୍ଟେସନରେ ପହଞ୍ଚିବା ପରେ ପୁଲିସ ସେମାନଙ୍କୁ ଉଦ୍ଧାର କରିଥିଲା । ଏହି ଦାଦନ ଶ୍ରମିକଙ୍କୁ ପୁଲିସ ଉଦ୍ଧାର କରି ପଚରାଉଚରା କରୁଛି ଓ ଘଟଣା ତଦନ୍ତ କରୁଛି । ଏମାନଙ୍କୁ କିଏ ଦାଦନ ଖଟିବାକୁ ଆନ୍ଧ୍ରପ୍ରଦେଶ ଚାଲାଣ କରୁଥିଲେ, ଏହି ଘଟଣାରେ କେଉଁ କେଉଁମାନେ ସଂପୃକ୍ତ ଅଛନ୍ତି, ପୁଲିସ ତାର ଖୋଳତାଡ ଆରମ୍ଭ କରିଛି ।
Powered by Froala Editor