କେନ୍ଦ୍ରରୁ ପ୍ରାୟ ୬ ହଜାର ୩୦୦ କୋଟି ଟଙ୍କାର ସହାୟତା ମିଳିଛି: ପ୍ରମିଳା ମଲ୍ଲିକ
ଭୁବନେଶ୍ଵର: ବାତ୍ୟା ଆମ୍ଫାନ, ବୁଲବୁଲ, ଗୁଲାବ, ଜୱାଦରେ କୌଣସି ଜୀବନ ହାନୀ ଘଟିନାହିଁ । ୨୦୧୨ରୁ ଅଦ୍ୟାବଧି ହୋଇଥିବା ବନ୍ୟା, ବାତ୍ୟା, ମରୁଡି, ପ୍ରବଳ ବର୍ଷାରେ ୪୦ ହଜାରରୁ ଅଧିକ ଟଙ୍କାର କ୍ଷୟକ୍ଷତି ଆକଳନ କରାଯାଇଛି । ୨୦୧୨ ଓ ୨୦୧୬ ମସିହାରେ କୌଣସି ପ୍ରମୁଖ ପ୍ରାକୃତିକ ବିପର୍ୟ୍ୟୟ ହୋଇନାହିଁ । ଫାଇଲିନ ବାତ୍ୟାରେ ସର୍ବାଧିକ ୧୪ ହଜାର ୩୭୩ କୋଟି ଟଙ୍କାର କ୍ଷୟକ୍ଷତି ହୋଇଥିବା ବେଳେ ଫନିରେ ୯ ହଜାର ୩୩୬ କୋଟିର କ୍ଷୟକ୍ଷତି ହୋଇଛି । କେନ୍ଦ୍ରରୁ ପ୍ରାୟ ୬ ହଜାର ୩୦୦ କୋଟି ଟଙ୍କାର ସହାୟତା ମିଳିଛି । ତେବେ ଗତ ୫ ବର୍ଷ ମଧ୍ୟରେ ବନ୍ୟା, ବାତ୍ୟା, ମରୁଡି, ମାଟି ଅତଡା ଖସିବା ଅଂଶୁଘାତ, ସାପ କାମୁଡା, ପାଣିରେ ବୁଡି ଜୀବନ ଯିବା, ଡଙ୍ଗା ବୁଡି, ବନ୍ୟାରେ ଭାସିଯିବା ଯୋଗୁଁ ୧୪ ହଜାର ୪୦୭ ଜଣଙ୍କ ଜୀବନ ଯାଇଛି । ୨୦୨୦ ରୁ ୨୦୨୨ ମଧ୍ୟରେ ଓଡ଼ିଶାରେ କୋଭିଡ୍-୧୯ରେ ପ୍ରାଣ ହରାଇଛନ୍ତି ୨୦ ହଜାରରୁ ଉର୍ଦ୍ଧ୍ଵ ବ୍ୟକ୍ତି। ଏହାସହ ବନ୍ୟା, ବାତ୍ୟା, ମରୁଡ଼ି ଓ ପ୍ରବଳ ବର୍ଷା ଯୋଗୁଁ ବିଗତ ୧୦ ବର୍ଷ ଭିତରେ ୨୨୭ ଜଣଙ୍କର ଜୀବନ ଯାଇଛି। ୨୦୧୮ରେ ହୋଇଥିବା ବାତ୍ୟା ତିତିଲିରେ ସର୍ବାଧିକ ୭୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦୧୯ରେ ହୋଇଥିବା ବାତ୍ୟା ଫନିରେ ୬୪, ୨୦୧୩ ଫାଇଲିନରେ ୨୨ଜଣ ଏବଂ ୨୦୨୦ ବନ୍ୟା ଓ ପ୍ରବଳ ବର୍ଷା ଯୋଗୁଁ ୩୮ ଜଣଙ୍କର ଜୀବନ ଯାଇଛି। ବିଧାନସଭାରେ ଭିନ୍ନଭିନ୍ନ ପ୍ରଶ୍ନରେ ଉତ୍ତର ରଖିଛନ୍ତି ରାଜସ୍ଵ ଓ ବିପର୍ୟ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ।
Powered by Froala Editor