ଶଳା ବିବାହ ଭୋଜିକୁ ଆସିଥିଲେ ଭିଣୋଇ, ହୋଇଗଲେ ନିଖୋଜ
ଖୋର୍ଦ୍ଧା : ଶଳାର ବିବାହ ଭୋଜିକୁ ଆସି ଭିଣୋଇ ନିଖୋଜ। ପୋଖରୀ କୂଳରେ ପ୍ରଚୁର ମଦ୍ୟପାନ କରୁଥିବା ବେଳେ ପୋଖରୀ ଭିତରେ ଗଳିପଡି ନିଖୋଜ ହୋଇଯାଇଛନ୍ତି। ବୋଲଗଡ ଥାନା ହାଟବସ୍ତ ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଓ ଓଡ୍ରାଫ୍ ଟିମ୍ ଖୋଜାଖୋଜି କରୁଛନ୍ତି।
ସୂଚନା ଅନୁଯାୟୀ, ପୁବୁସାହି ଗ୍ରାମର ବାପି ସାମନ୍ତରାୟ ହାଟବସ୍ତ ସ୍ଥିତ ନିଜ ଶଳା ଦିପୁ ଚମ୍ପତିଙ୍କ ବିବାହ ଭୋଜିକୁ ଆସିଥିଲେ । ବୁଧବାର ବିଳମ୍ବିତ ରାତିରେ ବାପି କିଛି ଯୁବକଙ୍କ ସହ ହାଟବସ୍ତ ଗ୍ରାମ ନିକଟରେ ଥିବା ବେଗୁନିଆ ପୋଖରୀ କୂଳରେ ପ୍ରଚୁର ମଦ୍ୟପାନ କରି ଅସାବଧାନତା କାରଣରୁ ପୋଖରୀ ଭିତରେ ଗଳିପଡି ନିଖୋଜ ହୋଇଯାଇଥିଲେ। ଗ୍ରାମବାସୀ ବୋଲଗଡ଼ ଅଗ୍ନିଶମ ବହିନୀକୁ ଖବର ଦେବାସହ ରାତିସାରା ପୋଖରୀରେ ଖୋଜାଖୋଜି କରିଥିଲେ କିନ୍ତୁ ପାଇନଥିଲେ । ସେହିପରି ଆଜି ସକାଳୁ ଖୋର୍ଦ୍ଧାରୁ ଗୋଟିଏ ଓଡ୍ରାଫ ଟିମ୍ ସହ ବୋଲଗଡ ଅଗ୍ନିଶମ ବାହିନୀ ପହଞ୍ଚି ପୋଖରୀରେ ଖୋଜାଖୋଜି ଜାରି ରଖିଥିବା ବେଳେ କିଛି ସନ୍ଧାନ ମିଳିନାହିଁ। ସ୍ଥାନୀୟ ଧୀବର ପୋଖରୀରେ ଖୋଜାଖୋଜି କରୁଛନ୍ତି । ହେଲେ ଏପର୍ୟ୍ୟନ୍ତ ନିଖୋଜ ବାପି ସାମନ୍ତରାୟଙ୍କ ସନ୍ଧାନ ମିଳିପାରି ନାହିଁ।
Powered by Froala Editor