ଭୋଟିଂରେ ବଡ଼ ଘୋଟାଲା : ପଞ୍ଜିକୃତ ହୋଇଛନ୍ତି ୯୦ ଭୋଟର, ପଡ଼ିଛି ୧୮୧ ଭୋଟ୍

ଆସାମ ନିର୍ବାଚନରେ ବଡ଼ ଧରଣର ଘୋଟାଲା ଧରାପଡ଼ିଛି । ଗୋଟିଏ ପୋଲିଂ ବୁଥରେ ଯେତିକି ପଂଜୀକୃତ ଭୋଟର ଅଛନ୍ତି ତାହାର ଦୁଇଗୁଣ ଭୋଟ ପଡ଼ିଛି । ଘଟଣାଟି ଦିମା ହସାଓ ଜିଲ୍ଲାରେ ଥିବା ଏକ ପୋଲିଂ ବୁଥରେ ଘଟିଛି । ପୋଲିଂ ବୁଥରେ ମାତ୍ର ୯୦ ପଂଜୀକୃତ ଭୋଟ ଥିବାବେଳେ ସେଠାରେ ୧୮୧ଟି ଭୋଟ ପଡ଼ିଛି ।
ସୂଚନା ଯେ, ଏହି ବୁଥଟି ହାଫଲଙ୍ଗ ନିର୍ବାଚନ ମଣ୍ଡଳୀରେ ଆସୁଛି । ସଂପୃକ୍ତ ପୋଲିଂ ବୁଥଟି ଏକ ମୁଖ୍ୟ ପୋଲିଂ ବୁଥର ଏକ ସହାୟକ ବୁଥ ଭାବେ ଖୋଲାଯାଇଥିଲା । କରୋନା ଯୋଗୁଁ ଜନଗହଳି କମାଇବାକୁ ପ୍ରତି ପାରମ୍ପରିକ ବୁଥ ଅଧିନରେ ନୂଆ ବୁଥ ଖୋଲାଯାଇଛି । ଏହି ବୁଥରେ ମାତ୍ର ୯୦ ଜଣ ପଂଜୀକୃତ ଭୋଟର ଥିବାବେଳେ ପ୍ରାୟ ୧୮୧ ଜଣ ଭୋଟ ଦେଇଛନ୍ତି । ମୁଖ୍ୟ ବୁଥରୁ କେତେକ ଭୋଟର ଆସି ଭୋଟ ଦେଇଥିବା ପ୍ରିଜାଇଡିଂ ଅଫିସର ସ୍ବୀକାର କରିଛନ୍ତି । ଏହା ଜଣାପଡ଼ିବା ପରେ ନିର୍ବାଚନ ଆୟୋଗ ୬ ଜଣ ଅଧିକାରୀଙ୍କୁ ନିଲମ୍ବିତ କରିଛନ୍ତି । ଏହି ବୁଥରେ ପୁନଃ ଭୋଟଗ୍ରହଣ କରିବାକୁ ଆୟୋଗ ବିଚାର କରୁଛନ୍ତି ।