ରାଜ୍ୟ ସରକାରଙ୍କ ମୋଟ ଋଣ ଭାର ୯୭,୨୦୫ କୋଟି ଟଙ୍କା, ୧୪ହଜାର ୧କୋଟି ୩୧ଲକ୍ଷ ଟଙ୍କା ଋଣ ପରିଶୋଧ ବ୍ୟବସ୍ଥା
ଭୁବନେଶ୍ୱର : ଓଡ଼ିଶା ମହାଲେଖାକାରଙ୍କ ତଥ୍ୟ ଅନୁଯାୟୀ ୨୦୨୧-୨୨ ଆର୍ଥିକ ବର୍ଷ ଶେଷସୁଦ୍ଧା ରାଜ୍ୟ ସରକାରଙ୍କ ମୋଟ ଋଣ ଭାର ଥିଲା ୯୭୨୦୫.୦୩ କୋଟି ଟଙ୍କା। ୨୦୨୨-୨୩ ଆର୍ଥିକ ବର୍ଷରେ ରାଜ୍ୟ ସରକାର ୨୫,୫୮୯କୋଟି ଟଙ୍କା ଋଣ ଆହରଣ ଏବଂ ୧୪ହଜାର ୧କୋଟି ୩୧ଲକ୍ଷ ଟଙ୍କା ଋଣ ପରିଶୋଧ ପାଇଁ ବଜେଟରେ ବ୍ୟବସ୍ଥା କରିଛନ୍ତି। ବିଧାନସଭାରେ ଏହି ଉତ୍ତର ରଖିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ।
ଅର୍ଥ ବିଭାଗ ସୂତ୍ରରୁ ମିଳିଥିବା ତଥ୍ୟ ଅନୁସାରେ ୨୦୨୧ ଏପ୍ରିଲ ପହିଲା ସୁଦ୍ଧା ରାଜ୍ୟର ଋଣ ଭାର ଥିଲା ୧ଲକ୍ଷ ୪ହଜାର ୪୫୨କୋଟି ୨୬ଲକ୍ଷ ଟଙ୍କା। ୨୦୨୧-୨୨ ଆର୍ଥିକ ବର୍ଷରେ ୭୨୪୭.୨୩କୋଟି ଟଙ୍କା ପରିଶୋଧ ଫଳରେ ମୋଟ ଋଣ ଭାର ୯୭୨୦୫.୦୩କୋଟିରେ ପହଞ୍ଚିଥିଲା। ୨୦୨୨ ଏପ୍ରିଲ ପହିଲା ସୁଦ୍ଧା ରାଜ୍ୟର ଋଣ ଭାର ୯୭୨୦୫.୦୩ କୋଟି ଥିବାବେଳେ ଇତିମଧ୍ୟରେ ୬୭୫୩.୫୨ କୋଟି ପରିଶୋଧ ଫଳରେ ୨୦୨୨ ସେପ୍ଟେମ୍ବର ୩୦ ସୁଦ୍ଧା ଋଣ ପରିମାଣ ୯୦୪୫୧.୫୧ କୋଟି ଟଙ୍କାରେ ରହିଛି।
ରାଜ୍ୟର ଋଣ ଭାର ଏବଂ ମୁଣ୍ଡ ପିଛା ଋଣ ପରିମାଣ କେତେ ଅଛି, ସେ ସଂକ୍ରାନ୍ତରେ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ, ୨୦୨୧-୨୨ ଆର୍ଥିକ ବର୍ଷ ଶେଷସୁଦ୍ଧା ରାଜ୍ୟରେ ମୁଣ୍ଡପିଛା ଋଣ ପରିମାଣ ଥିଲା ୨୨୦୪୨ଟଙ୍କା। ଚଳିତ ୨୦୨୨-୨୩ ଆର୍ଥିକ ବର୍ଷରେ
ରାଜ୍ୟ ସରକାର ରାଜ୍ୟର ମୋଟ ରାଜସ୍ୱ ବାବଦରେ ୧ଲକ୍ଷ ୬୩ହଜାର ୯୬୬କୋଟି ୫୨ଲକ୍ଷ ଟଙ୍କା ସଂଗ୍ରହ ପାଇଁ ଲକ୍ଷ୍ୟଧାର୍ୟ୍ୟ କରିଛନ୍ତି। ଏଥିମଧ୍ୟରୁ ନିଜସ୍ୱ ଟିକସ ବାବଦରେ ୪୬ହଜାର ଓ ନିଜସ୍ୱ ଅଣଟିକସ ବାବଦରେ ୪୮,୨୦୦କୋଟି ଟଙ୍କା ସଂଗ୍ରହ ଲକ୍ଷ୍ୟଧାର୍ୟ୍ୟ ହୋଇଛି।
ଜିଏସଟି ସଂକ୍ରାନ୍ତରେ ମନ୍ତ୍ରୀ କହିଛନ୍ତି ଯେ, ଜିଏସ୍ଟି ପ୍ରଚଳନ ପରେ ରାଜ୍ୟର ରାଜସ୍ୱ ଆଦାୟରେ କ୍ଷତି ଘଟିଲେ ୫ବର୍ଷ ପାଇଁ କ୍ଷତିପୂରଣ ଦିଆଯିବା ବ୍ୟବସ୍ଥା ଥିଲା। କ୍ଷତିପୂରଣ ପାଇଁ ୨୦୧୫-୧୬ ଆର୍ଥିକ ବର୍ଷର ସଂଗୃହୀତ କର ପରିମାଣକୁ ମୂଳ ବର୍ଷ ରୂପେ ଗ୍ରହଣ କରାଯାଇଥିଲା ଏବଂ ୧୪ପ୍ରତିଶତ ବାର୍ଷିକ ଅଭିବୃଦ୍ଧି ହାର ନିଆଯାଇଛି। ୨୦୧୫-୧୬ରେ ଜିଏସଟି ବାବଦକୁ ରାଜ୍ୟ ୧୧ ହଜାର ୪୯କୋଟି ୩୪ଲକ୍ଷ ଟଙ୍କା ପାଇଥିଲା। ସୁନିଶ୍ଚିତ ରାଜସ୍ୱରୁ ବାସ୍ତବରେ ସଂଗୃହୀତ ରାଜସ୍ୱକୁ ବିୟୋଗ କରି ଅବଶିଷ୍ଟ ପରିମାଣକୁ କ୍ଷତିଭରଣା ଭାବେ କେନ୍ଦ୍ର ସରକାର ପ୍ରଦାନ କରିଥାନ୍ତି। କ୍ଷତିଭରଣା ପ୍ରତି ଦ୍ୱିମାସିକ କିସ୍ତିରେ ମିଳୁଛି। ମୂଳ ଆର୍ଥିକ ବର୍ଷ ୨୦୧୫-୧୬ ସଂଗୃହୀତ ରାଜସ୍ୱରେ ବାର୍ଷିକ ୧୪ପ୍ରତିଶତ ଅଭିବୃଦ୍ଧି ହାର ପ୍ରୟୋଗ କରାଯାଇ ୨୦୧୭-୧୮ ଆର୍ଥିକ ବର୍ଷର ଜୁଲାଇରୁ ୨୦୧୮ ମାର୍ଚ୍ଚ ପାଇଁ ୧୦ହଜାର ୭୬୯କୋଟି ୭୯ଲକ୍ଷ ଟଙ୍କା ସୁନିଶ୍ଚିତ ରାଜସ୍ୱ ଆକଳନ କରାଯାଇଥିଲା। ରାଜ୍ୟ ସରକାର ଉକ୍ତ ବର୍ଷ ପାଇଁ ୮ହଜାର ୪୨୧କୋଟି ୭୧ଲକ୍ଷ ଟଙ୍କା ରାଜସ୍ୱ ପାଇଥିଲେ ଓ ୨ହଜାର ୩୪୮କୋଟି ୮ଲକ୍ଷ ଟଙ୍କା କ୍ଷତିପୂରଣ ପାଇସାରିଛନ୍ତି।
Powered by Froala Editor