କେନ୍ଦୁପତ୍ର ଉପରୁ ଜିଏସଟି ଉଠାଇବାକୁ ଅର୍ଥମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: କେନ୍ଦୁପତ୍ର ତୋଳାଳୀ ଓ କର୍ମଚାରୀଙ୍କ ବୃହତ୍ତର ସ୍ୱାର୍ଥକୁ ଦୃଷ୍ଟିରେ ରଖି କେନ୍ଦୁପତ୍ର ଉପରୁ ସମ୍ପୂର୍ଣ୍ଣ ଜିଏସଟି ଉଠାଇବାକୁ ଅର୍ଥମନ୍ତ୍ରୀଙ୍କୁ ଚିଠି ଲେଖି ଦାବି ଜଣାଇଲେ । ୧୮% ଜିଏସଟି ଲାଗିବା କାରଣରୁ ସେମାନଙ୍କ ଜୀବିକା ଓ ବିଭିନ୍ନ ସାମାଜିକ ସୁରକ୍ଷା କାର୍ୟ୍ୟକ୍ରମ ବହୁଳ ଭାବେ ପ୍ରଭାବିତ ହେଉଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।
ଓଡ଼ିଶାରେ ୮ଲକ୍ଷ ବିଶେଷକରି ଜନଜାତି ସଂପ୍ରଦାୟର ଲୋକମାନେ କେନ୍ଦୁପତ୍ର ତୋଳାଳୀ, ବନ୍ଧାଳୀ ଏବଂ କର୍ମଚାରୀ ଭାବେ କାର୍ୟ୍ୟ କରୁଛନ୍ତି। ସେମାନଙ୍କ ସାମାଜିକ ଓ ଆର୍ଥିକ ବିକାଶକୁ ଦୃଷ୍ଟିରେ ରଖି ଓଡ଼ିଶାର ଦାବିକୁ ଗୁରୁତ୍ୱ ଦେଇ କେନ୍ଦୁପତ୍ର ଉପରୁ ଜିଏସଟି ଛାଡ଼ କରିବାକୁ ଉଲ୍ଲେଖ କରିଛନ୍ତି ମୁଖ୍ୟମନ୍ତ୍ରୀ । କେନ୍ଦୁପତ୍ର ଉପରୁ ଜିଏସଟି ସମ୍ପୂର୍ଣ୍ଣ ପ୍ରତ୍ୟାହାର ପାଇଁ ଦାବି ଜଣାଇ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଲେଖିଛନ୍ତି ପତ୍ର ।
କେନ୍ଦୁପତ୍ର ଉପରୁ ୧୮ପ୍ରତିଶତ ଜିଏସଟି ଆଦାୟ ହେଉଛି । ଯାହା ସିଧାସଳଖ କେନ୍ଦୁପତ୍ର ତୋଳାଳି, କର୍ମଚାରୀ ଓ ବନ୍ଧାଳିଙ୍କ ସାମାଜିକ ସୁରକ୍ଷାକୁ ପ୍ରଭାବିତ କରୁଛି । ରାଜ୍ୟରେ ମୁଖ୍ୟତଃ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଲୋକ କେନ୍ଦୁପତ୍ର ଉପରେ ନିର୍ଭର କରନ୍ତି ଏବଂ ସେମାନେ ଅଧିକାଂଶ ଅନୁସୂଚିତ ଜନଜାତି ଓ ଅନ୍ୟାନ୍ୟ ପାରମ୍ପରିକ ଜଙ୍ଗଲ ଅଧିବାସୀ । ଆଇନ ୨୦୦୬ ଆଧାରରେ ଆଦିବାସୀ ଲୋକ କେନ୍ଦୁପତ୍ର ସଂଗ୍ରହ କରିଥାନ୍ତି । ତେଣୁ କେନ୍ଦୁପତ୍ର ତୋଳାଳିଙ୍କ ସମୂହ ସ୍ବାର୍ଥ ପାଇଁ କେନ୍ଦୁପତ୍ର ଉପରୁ ସଂପୂର୍ଣ୍ଣ ଜିଏସଟି ଛାଡ କରିବାକୁ ଦାବି ଜଣାଇଛନ୍ତି ନବୀନ ।
Powered by Froala Editor