ଯଦି ଜ୍ୟାକେଟ୍ ନଥାନ୍ତା...କ’ଣ ଯେ ହୋଇଥାନ୍ତା

ବୁଧବାର ରାତିରେ କେନ୍ଦ୍ରାପଡ଼ା ସହର ଉପକଣ୍ଠ ବାଲିଆ ବାଣ ବିସ୍ଫୋରଣ ସମୟରେ ଆତଙ୍କ ଖେଳିଯାଇଥିଲା । ବିସ୍ଫୋରଣରେ ୪୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି । ବାଣ ବିସ୍ଫୋରଣ ପ୍ରାଣ ବିକଳରେ ଦୌଡିବାକୁ ଆରମ୍ଭ କରିଥିଲେ। କିନ୍ତୁ ନିଜର ଉପସ୍ଥିତ ବୁଦ୍ଧି ପାଇଁ ଚକ୍ରୋଡା ପଞ୍ଚାୟତ ପଦାଲୋ ଗ୍ରାମର ଚିତ୍ତରଞ୍ଜନ ମଲିକ ନିଜେ ବଞ୍ଚିବା ସହ ନିଜ ପୁଅକୁ ବଞ୍ଚାଇପାରିଛନ୍ତି । ସେ ତୁରନ୍ତ ପୁଅକୁ ଜାବୁଡି ଧରି ଜ୍ୟାକେଟ ଭିତରେ ଲୁଚାଇବାକୁ ଚେଷ୍ଟା କରିଥିଲେ । ଜ୍ୟାକେଟର ପିଠି ପାଖ ଓ ମୁଣ୍ଡରୁ ଫାଳେ ପୋଡ଼ି ଯାଇଛି । ପୁଅ ଦେବେନ୍ଦ୍ର ସାମାନ୍ୟ ଆହତ ହୋଇଛନ୍ତି । କିନ୍ତୁ ଚିତ୍ତରଞ୍ଜନଙ୍କର ମୁଁହ ଓ ପିଠି ହାତ ପୋଡ଼ିଯାଇଛି । ସେ ଏବେ କଟକ ବଡ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି । ଯଦି ଜ୍ୟାକେଟ ନ ଥାନ୍ତା ତେବେ ନିଶ୍ଚିତ ଭାବରେ ବଡ଼ ଅଘଟଣ ଘଟିଥାନ୍ତା ।
ସୂଚନାଯୋଗ୍ୟ ଯେ, ବାଲିଆ କାର୍ତ୍ତିକେଶ୍ୱର ଭସାଣି ଦେଖିବା ପାଇଁ ବାପା ଚିତ୍ତରଞ୍ଜନ ମଲିକ ୧୦ ବର୍ଷର ପୁଅ ଦେବେନ୍ଦ୍ରକୁ ଧରି ସନ୍ଧ୍ୟାରେ ଘରୁ ବାହାରିଥିଲେ। ଯିବାବେଳେ ଚିତ୍ତରଞ୍ଜନଙ୍କ ପତ୍ନୀ ତାଙ୍କୁ ଜ୍ୟାକେଟ ଓ ପୁଅକୁ ସୁଇଟର ପିନ୍ଧି ଯିବାକୁ କହିଥିଲେ । ପତ୍ନୀଙ୍କ କଥା ମାନି ଶୀତବସ୍ତ୍ର ପିନ୍ଧିଥିଲେ। ସେହି ଜ୍ୟାକେଟ୍ ଦୁଇଜଣଙ୍କ ଜୀବନ ବଞ୍ଚାଇ ଦେଇଛି । ପରିବାର ଲୋକେ ପୋଡ଼ା ବସ୍ତ୍ରକୁ ଫୋପାଡ଼ିବା ପରିବର୍ତ୍ତେ ସାଇତି ରଖିଛନ୍ତି ।
Powered by Froala Editor