ବର୍ଷିଲେ ଅକ୍ଷୟ ପରିଜା, କାହିଁକି ଓ କାହା ଉପରେ ଜାଣନ୍ତୁ
ଭୁବନେଶ୍ୱର: ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲାରେ ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜା ଆଜି ପୁଣି ଥରେ ଇଡିରେ ହାଜର ହୋଇଛନ୍ତି । ତେବେ ଇଡିରେ ହାଜର ବେଳେ କିଛି ଗଣମାଧ୍ୟମ ଉପରେ ଅକ୍ଷୟ ପରିଜା ବର୍ଷିଛନ୍ତି ।
ସେ କହିଛନ୍ତି ଯେ କିଛି ଚ୍ୟାନେଲ ଦାୟିତ୍ୱହୀନ ଭାବେ ଖବର ପରିବେଷଣ କରୁଛନ୍ତି । ଯାହା ନାମରେ ଖବର କରୁଛନ୍ତି ସେ ଆପଣଙ୍କ ସମ୍ପର୍କୀୟ ହୋଇପାରନ୍ତି । ସେ ଆପଣଙ୍କ ଭାଇ, ବାପା, ମାମୁଁ ଓ ଦାଦା ହୋଇପାରନ୍ତି । ମୁଁ ପୀଡ଼ିତ, ଏଭଳି ମିଥ୍ୟା ଖବର ପରିବେଷଣ ଠିକ ନୁହେଁ । ସମସ୍ତଙ୍କୁ ମୁଁ କୋର୍ଟକୁ ନେଇପାରେ ବୋଲି ଅକ୍ଷୟ ପରିଜା କହିଛନ୍ତି ।
ଅନ୍ୟପକ୍ଷରେ ଗତକାଲି ଅକ୍ଷୟ ପରିଜା ଓ ବ୍ୟବସାୟୀ ଅମୀୟକାନ୍ତ ଦାସଙ୍କୁ ଇଡି ଦୀର୍ଘ ଘଣ୍ଟା ଘାଣ୍ଟିବା ପରେ ଆଜି ସକାଳୁ ଇଡି କାର୍ୟ୍ୟାଳୟରେ ହାଜର ହୋଇଛନ୍ତି ଶ୍ରଦ୍ଧାଞ୍ଜଳି ବେହେରା । ଇଡି ପକ୍ଷରୁ ବାରମ୍ବାର ସମନ କରାଯିବା ପରେ ଆଜି ସକାଳୁ ଏହାର କାର୍ୟ୍ୟାଳୟରେ ହାଜର ହୋଇଛନ୍ତି ଶ୍ରଦ୍ଧାଞ୍ଜଳି । ତେଣୁ ଇଡି ତାଙ୍କୁ ମାରାଥନ ଜେରା କରିବାର ଅନୁମାନ କରାଯାଉଛି। ଏଥିସହ ଆଜି ପୁଣି ଥରେ ଇଡି କାର୍ୟ୍ୟାଳୟରେ ଅକ୍ଷୟ ପରିଜା ହାଜର ହୋଇଥିବା ବେଳେ ଉଭୟଙ୍କର ମୁହାଁମୁହିଁ ଜେରା ହୋଇପାରେ ବୋଲି ବି ଶୁଣିବାକୁ ମିଳୁଛି।
ଅକ୍ଷୟ ପରିଜା ନୟାପଲ୍ଲୀ ଥାନାରେ କରିଥିବା ଅଭିଯୋଗରେ ଅର୍ଚ୍ଚନା ନାଗ ଓ ଶ୍ରଦ୍ଧାଞ୍ଜଳିଙ୍କ ନାମ ଉଲ୍ଲେଖ କରିଥିଲେ। ଉଭୟ ତାଙ୍କୁ ଟଙ୍କା ମାଗିବା ସହ ବ୍ଲାକମେଲ୍ କରୁଥିବା ସେ ଲିଖିତ ଅଭିଯୋଗ କରିଥିଲେ। ଏହାପରେ ଶ୍ରଦ୍ଧାଞ୍ଜଳି ନିଜେ ଖଣ୍ଡଗିରି ଥାନାରେ ଏକ ଅଭିଯୋଗ କରି ଜଗବନ୍ଧୁ ଓ ତାଙ୍କ ବିଜନେସ ପାର୍ଟନର ଖଗେଶ୍ୱରଙ୍କ ନାମରେ ଅଭିଯୋଗ କରିଥିଲେ। ତେଣୁ ଗୋଟିଏରେ ସେ ଅଭିଯୁକ୍ତ ହୋଇଥିବା ବେଳେ ଅନ୍ୟଟିରେ ସେ ସାଜିଥିଲେ ଅଭିଯୋଗକାରୀ।
Powered by Froala Editor