୬ଟି ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାଲକାନଗିରି ଜିଲ୍ଲା ପାଇଁ ୬ଟି ଗୁରୁତ୍ବପୂର୍ଣ୍ଣ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ଘାଟନ କରିଛନ୍ତି। ଏଥିପାଇଁ ୨୫ କୋଟି ଟଙ୍କା ବିନିଯୋଗ କରାଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହିସବୁ ପ୍ରକଳ୍ପଗୁଡିକ ଜିଲ୍ଲାର ସାମାଜିକ ଓ ଆର୍ଥିକ ବିକାଶକୁ ଆହୁରି ଆଗେଇ ନେବ। ଭିଡିଓ କନ୍ଫରେନ୍ସିଂ ଜରିଆରେ ପ୍ରକଳ୍ପ ଉଦ୍ଘାଟନ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ‘ମାଲକାନଗିରି ସବୁବେଳେ ମୋ ପାଇଁ ସ୍ବତନ୍ତ୍ର ହୋଇ ରହିଛି। ମାଲକାନଗିରିର ବିକାଶ କାମ ମୋତେ ସବୁଠାରୁ ଅଧିକ ଖୁସି ଦେଇଥାଏ। ମୋର ପୂର୍ଣ୍ଣ ବିଶ୍ବାସ, ମାଲକାନଗିରି ପରିଚୟ ଆଗକୁ ଆହୁରି ଉଜ୍ଜଳ ହେବ। ରାଜ୍ୟର ଏକ ଆଗୁଆ ଜିଲ୍ଲା ଭାବରେ ବିକାଶ ମାନଚିତ୍ରରେ ମାଲକାନଗିରି ନିଜର ସ୍ଥିତିକୁ ଆହୁରି ଦୃଢ କରିବ।
ଉଦଘାଟିତ ହୋଇଥିବା ପ୍ରକଳ୍ପ ଗୁଡିକ ମଧ୍ୟରେ ରହିଛି – ଅନ୍ବେଷା କାର୍ୟ୍ୟକ୍ରମରେ ଶିକ୍ଷାଗ୍ରହଣ କରୁଥିବା ଅନୁସୂଚିତ ଜନଜାତି ଓ ଜାତି ପିଲାମାନଙ୍କ ପାଇଁ ଦୁଇଟି ହଷ୍ଟେଲ। ଏଥିରେ ୬୦୦ ପୁଅ ଓ ୬୦୦ ଝିଅ ରହିବପାଇଁ ବ୍ୟବସ୍ଥା କରାଯାଇଛି। ମୋଟୁ ଟ୍ରାଇ ଜଙ୍କସନ୍ଠାରେ ବିଜୁ ପଟ୍ଟନାୟକ ଅନ୍ତଃରାଜ୍ୟ ବସ୍ ଟର୍ମିନାଲ। ଏହା ଜିଲ୍ଲା ସହିତ ଛତିଶଗଡ ଓ ଅନ୍ଧ୍ରପ୍ରଦେଶକୁ ଗମନାଗମନ ସୁଗମ କରିଛି। ଏହାସହିତ ମାଲକାନଗିରି ବଣ୍ଡା ଅଞ୍ଚଳକୁ ଯୋଡୁଥିବା ଏକ ଉଚ୍ଚସ୍ତରୀୟ ସେତୁ ଓ ବାଲିମେଳା ଠାରେ ତମସା ନଦୀ ଉପରେ ବିଜୁ ସେତୁ, କ୍ରୀଡାର ବିକାଶ ପାଇଁ ଏକ ଜୁଡୋ ଏକାଡେମୀ ଓ ପିଲାମାନଙ୍କ ପାଇଁ ଏକ ସ୍ବଧାର ଗୃହ।
ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଚିବ ଭି.କେ. ପାଣ୍ଡିଆନ କାର୍ୟ୍ୟକ୍ରମ ପରିଚାଳନା କରିଥିଲେ। ବୈଠକରେ ବିଭିନ୍ନ ବିଭାଗର ପ୍ରମୁଖ ସଚିବ ଓ ସଚିବମାନେ ଉପସ୍ଥିତ ଥିଲେ।
Powered by Froala Editor