ରାଗିଂ କରି କଲେଜରୁ ୧୨ ଛାତ୍ର ବିଦାହେଲେ, ୫ ବନ୍ଧା ହେଲେ

ଗଞ୍ଜାମ ଜିଲା ବ୍ରହ୍ମପୁର ସହରର ବିନାୟକ ଆଚାର୍ଯ୍ୟ କଲେଜରେ ଜଣେ ଛାତ୍ରୀଙ୍କୁ ରାଗିଂ କରାଯାଇଥିବା ଭିଡିଓ ଭାଇରାଲ ହେବା ପରେ ବ୍ରହ୍ମପୁର ବଡବଜାର ପୋଲିସ ୫ଜଣ ଛାତ୍ରଙ୍କୁ ଗିରଫ କରିଛି। ସେମାନଙ୍କ ମଧ୍ୟରେ ୩ଜଣ ସାବାଳକ ଓ ୨ ଜଣ ନାବାଳକ ଥିବା ଜଣାପଡିଛି। ଏନେଇ ଅଭିଯୁକ୍ତମାନଙ୍କୁ ଗୁରୁବାର କୋର୍ଟ ଚାଲାଣ କରିଛି। ସେହିପରି ଦୁଇ ନାବାଳକ ଛାତ୍ରଙ୍କୁ ଜୁଭେନାଇଲ ଜଷ୍ଟିସ ବୋର୍ଡ(ଜେଜେବି)ରେ ହାଜର କରାଯାଇ ବାଳ ସୁଧାର ଗୃହକୁ ପଠାଯାଇଛି।
ଅନ୍ୟପକ୍ଷରେ ବ୍ରହ୍ମପୁର ଏସ୍ପି ଶ୍ରବଣା ବିବେକ ଏମ୍ କହିଛନ୍ତି, ଭାଇରାଲ୍ ଭିଡିଓରେ ଥିବା ସମସ୍ତ ୧୨ ଜଣଙ୍କୁ କଲେଜରୁ ତଡ଼ାଯିବ। ଗିରଫ ୫ ଜଣଙ୍କ ମଧ୍ୟରୁ ୩ ଜଣ ସାବାଳକଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଅନ୍ୟ ୨ ଅଭିଯୁକ୍ତ ନାବାଳକଙ୍କୁ ବାଳସୁଧାର ଗୃହ ପଠା ଯାଇଛି। ରାଗିଂରେ ସଂପୃକ୍ତ ଥିବା ଛାତ୍ରୀମାନଙ୍କ ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଏସ୍ପି କହିଛନ୍ତି।
ବିନାୟକ ଆଚାର୍ଯ୍ୟ କଲେଜ କ୍ୟାମ୍ପସ୍ରେ ଜଣେ + ୨ ଛାତ୍ରୀଙ୍କୁ କେତେକ ଛାତ୍ରଛାତ୍ରୀ ରାଗିଂ କରୁଥିଲେ। +୩ ଛାତ୍ର ଅଭିଷେକ ନାହାକ ଓ ତାଙ୍କ ସାଥୀମାନେ ଠେଙ୍ଗା ଧରି ଜଣେ ଛାତ୍ରୀଙ୍କ ଗାଲକୁ କିସ୍ ଦେବାକୁ ଜଣେ ଛାତ୍ରଙ୍କୁ କହୁଥିଲେ। ଛାତ୍ର ଜଣକ ଅସହାୟ ହୋଇ ଭୟରେ ଛାତ୍ରୀଙ୍କ ଗାଲ୍କୁ କିସ୍ ଦେଉଥିଲେ ଓ ଆଇ ଲଭ୍ ୟୁ କହୁଥିଲେ। ଅଭିଷେକ ଓ ତାଙ୍କ ସାଥୀ (ଛାତ୍ରଛାତ୍ରୀ)ମାନେ ଅଶ୍ଲୀଳ ଭାଷାରେ ଗାଳି ମଧ୍ୟ ଦେଉଥିଲେ। ଯାହାର ଭିଡିଓ ସୋଶାଲ୍ ମିଡିଆରେ ଭାଇରାଲ୍ ହୋଇଥିଲା।
ଘଟଣାରେ ସମ୍ପୃକ୍ତ ଥିବା ୧୨ଜଣ ବିଦ୍ୟାର୍ଥୀଙ୍କୁ ଟିସି ଦେଇ କଲେଜରୁ ବିଦା କରିବାକୁ ନିଷ୍ପତ୍ତି ନିଆଯାଇଛି ବୋଲି ଏସ୍ପି ସୂଚନା ଦେଇଛନ୍ତି। ସେହିପରି ପୀଡ଼ିତା ଛାତ୍ରୀଙ୍କୁ ପୋଲିସର ବରିଷ୍ଠ ମହିଳା ଅଧିକାରୀମାନେ କାଉନ୍ସେଲିଂ କରିବା ସହ ତାଙ୍କ ସୁରକ୍ଷା ଓ ଶିକ୍ଷା ବ୍ୟବସ୍ଥା କଥା ବୁଝିବେ ବୋଲି ସେ କହିଛନ୍ତି।
Powered by Froala Editor