ଧାରଣାସ୍ଥଳରେ ମାଣ ବସାଇଲେ ଖରଭୂଇଁ ଗ୍ରାମବାସୀ

ବୌଦ୍ଧ : ତୀବ୍ର ହେବାରେ ଲାଗିଛି କ୍ରସର ବିରୋଧୀ ଆନ୍ଦୋଳନ । ଆନ୍ଦୋଳନକୁ ୧୭ଦିନ ପୁରିଥିବା ବେଳେ ଅସହ୍ୟ ଥଣ୍ଡା କାକରରେ ବି ଅହୋରାତ୍ର ଧାରଣାରେ ବସି ରହିଛନ୍ତି ବୌଦ୍ଧ ଜିଲ୍ଲାର ଖରଭୂଇଁ ଗ୍ରାମବାସୀ । ଏପରିକି କ୍ରସର ନ ହଟିବା ଯାଏ ଏଠାରୁ ଉଠିବୁ ନାହିଁ ବୋଲି ଜିଦ୍ ଧରିଥିବା ମହିଳାମାନେ ଆଜି ରାଜରାସ୍ତାରେ ପାଳିଛନ୍ତି ମାଣବସା ଗୁରୁବାର।
ଆଜି ସକାଳୁ ଲିପାପୋଛା କରି ମହିଳାମାନେ ଧାରଣାସ୍ଥଳରେ ଚିତା, ଝୋଟି ପକାଇଥିଲେ। ଏହାପରେ ନୀତି ମୁତାବକ ଲକ୍ଷ୍ମୀ ପୁରାଣ ପଢ଼ିବା ସହ ଭୋଗ ବି କରିଥିଲେ। ମାର୍ଗଶିର ମାସରେ ଯେତେ ଓଷାବ୍ରତ ପଡ଼ିବ, ସବୁ ଏଠାରେ ରାସ୍ତାରେ ହିଁ ପାଳିବୁ ବୋଲି କହିଛନ୍ତି ଆନ୍ଦୋଳନକାରୀ ମହିଳା ।
ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଖରଭୂଇଁ ଗ୍ରାମର କ୍ରସରକୁ ଵିରୋଧ କରି ଶତାଧିକ ଗ୍ରାମବାସୀ ସ୍ଥାନୀୟ ସିପିଆଇ ନେତା ଅବକାଶ ସାହୁଙ୍କ ନେତୃତ୍ୱରେ ଚଳିତ ମାସ ୧ ତାରିଖ ରୁ ଧାରଣା ଦେଇ ଆସୁଛନ୍ତି। ତେବେ ଗତ ମଙ୍ଗଳବାର ଭୁବନେଶ୍ୱରରୁ ଅବକାଶ ସାହୁ ଫେରୁଥିବା ବେଳେ ତାଙ୍କୁ ଅଡେଣିଗଡ଼ ନିକଟରୁ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ପୁଲିସ୍ ସେଠାରେ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ ପଠାଇ ଦିଆଯାଇଛି।
ସେପଟେ ଗ୍ରାମବାସୀଙ୍କୁ ପୁଲିସ ବୁଝିବାରେ ଅସମର୍ଥ ହୋଇଥିବା ବେଳେ ପରିସ୍ଥିତି ଅଧିକ ଉତ୍ତେଜନାପୂର୍ଣ୍ଣ ରହିଛି। ହୋଇଛି । ତେବେ ଆନ୍ଦୋଳନ ସ୍ଥଳରେ ଏସ୍ଡିପିଓ ଙ୍କ ସମେତ ୪ ଜଣ ଇନ୍ସପେକ୍ଟର ଓ ୩ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଛି।
ଆମେ ଘରେ ରହିବା ଲୋକ, ହେଲେ ଆସି ଅସହ୍ୟ ଜାଡ଼ରେ ବି ଛୁଆ ପିଳା ଧରି ଗଛ ମୂଳେ ରହିଛୁ। ମରିବୁ ପଛେ କ୍ରସର ନ ହଟିବା ଯାଏ ଏଠାରୁ ଉଠିବୁନି ବୋଲି ଆନ୍ଦୋଳନକାରୀ ମହିଳା ଚେତାବନୀ ଦେଇଛନ୍ତି।
Powered by Froala Editor