ଆଜି ସରିବ ଐତିହାସିକ ବାଲିଯାତ୍ରା

କଟକ: ମହାମାରୀ କରୋନାର ଭୟାବହତା ପାଇଁ ଗତ ଦୁଇବର୍ଷ ହେଲା ପର୍ବପର୍ବାଣୀ ପାଳୁଥିଲେ ମଧ୍ୟ ଯାତ୍ରା ଉପଲବ୍ଧିରୁ ବଞ୍ଚିତ ହେଉଥିଲେ ଲୋକେ । ଦୁଇବର୍ଷପରେ ଆସିଥିଲା ବାଲିଯାତ୍ରା । ଯାହାକୁ କୋଟି ଓଡ଼ିଆ ମିଶି ଉପଭୋଗ କରିବାର ମଉକାକୁ ହାତଛଡ଼ା କରିନଥିଲେ । ଆଜି ସରିଯିବ କଟକର ଐତିହାସିକ ବାଲିଯାତ୍ରା। ଆଜି ଉଦ୍ଯାପନୀ ସମାରୋହରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଗତ ନଭେମ୍ବର ୮ ତାରିଖ, କାର୍ତ୍ତିକ ପୂର୍ଣ୍ଣିମାରୁ ଆରମ୍ଭ ହୋଇଥିବା ବାଲିଯାତ୍ରା ଆଜି ଶେଷ ହେବାକୁ ଥିବାବେଳେ ପ୍ରଶାସନିକ ନିଷ୍ପତ୍ତିକ୍ରମେ ଏହାକୁ ଗୋଟିଏ ଦିନ ବୃଦ୍ଧି କରାଯାଇଥିଲା। ଚଳିତ ବର୍ଷ ଅନେକ ଦୃଷ୍ଟିରୁ କଟକ ବାଲିଯାତ୍ରା ଇତିହାସ ରଚିଛି।
କାଗଜ ଡଙ୍ଗା ପ୍ରସ୍ତୁତିରେ କଟକର ଛାତ୍ରଛାତ୍ରୀ ବିଶ୍ୱ ରେକର୍ଡ କରି ଗିନିଜ୍ ବିକ୍ ଅଫ୍ ୱାର୍ଲଡ ରେକର୍ଡରେ ସ୍ଥାନ ପଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ କଟକ-ଇନ୍-କଟକ ଭଳି ଅନେକ ଅଭିନବ ଆଉ ଆକର୍ଷଣୀୟ ଆୟୋଜନ କରାଯାଇଥିବାବେଳେ ଚଳିତ ବର୍ଷ ଭିଡ଼ ଆଉ ବ୍ୟବସାୟ ପୂର୍ବ ସମସ୍ତ ରେକର୍ଡକୁ ଟପିଯାଇଛି। ଏ ବର୍ଷ ସର୍ବାଧିକ ୧୦ ଦିନ ଧରି ହୋଇଛି ବାଲିଯାତ୍ରା। ନଭେମ୍ବର ୮ତାରିଖରୁ ଆରମ୍ଭ ହୋଇଛି କଟକ ପ୍ରସିଦ୍ଧ ବାଲିଯାତ୍ରା।
ଗତକାଲି ସରିଲା ଭୁବନେଶ୍ୱର ବାଲିଯାତ୍ରା:
ସରିଲା ଭୁବନେଶ୍ୱର ବାଲିଯାତ୍ରା । ୯ଦିନ ଧରି ଜରିପାଟଣା ସ୍ଥିତ କୁଆଖାଇ ନଦୀ ପଠାରେ ଅନୁଷ୍ଠିତ ହୋଇଥିଲା ବାଲିଯାତ୍ରା ମହୋତ୍ସବ । ବାଲିଯାତ୍ରାରେ ଚଳିତ ବର୍ଷ ୧୮ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ବେପାର ହୋଇଛି । ବାଲିଯାତ୍ରା ଉଦଯାପନୀ ଉତ୍ସବରେ ଖୋର୍ଦ୍ଧା ଜିଲ୍ଲାପାଳ, ଭୁବନେଶ୍ୱର ପୋଲିସ୍ କମିଶନର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅନୁଷ୍ଠାନର ଏପରି ଉଦ୍ୟମକୁ ପ୍ରଶଂସା କରିଥିଲେ ।
ଚଳିତ ବର୍ଷ ପ୍ରାୟ ୫ଶହରୁ ଉର୍ଦ୍ଧ୍ୱ ଷ୍ଟଲ ପଡିଥିଲା । ବିଭିନ୍ନ ପ୍ରକାର ସୁସ୍ୱାଦୁ ଖାଦ୍ୟ ସହ ଗୃହପକୋରଣ ସାମଗ୍ରୀ, ଖେଳଣା, ମାଟିପାତ୍ର, ରାଜ୍ୟ ସରକାରଙ୍କ ହସ୍ତତନ୍ତ ଓ ବୟନଶିଳ୍ପ ସାମଗ୍ରୀ, ପୋଷାକ, ସମ୍ବଲପୁରୀ ଶାଢୀ ଆଦି ନାନାଦି ଜିନିଷର ମସରା ମେଲିଥିଲା । ଯାତ୍ରାର ଶେଷ ସଂଧ୍ୟାରେ ବିଶିଷ୍ଟ କଣ୍ଠଶିଳ୍ପୀ ଅଭିଜିତ୍ ଭଟ୍ଟାଚାର୍ଯ୍ୟଙ୍କ ଗୀତରେ ଝୁମିଥିଲେ ଦର୍ଶକ ।
Powered by Froala Editor