ସାମାନ୍ୟ ଭୁଲ୍ ପାଇଁ ହିତାହିତ ଜ୍ଞାନ ଭୁଲିଗଲେ ଶିକ୍ଷକ, ନିର୍ଧୂମ ପିଟିଲେ

ବଲାଙ୍ଗିର: ଶିକ୍ଷକ କହିଲେ ଜଣେ ଆଦର୍ଶଙ୍କୁ ବୁଝାଏ । ପିଲାଙ୍କ ଭବିଷ୍ୟତ ଗଢ଼ିବାରେ ଶିକ୍ଷକ ତୁଲାଇଥାନ୍ତି ପ୍ରମୁଖ ଭୂମିକା। ତେଣୁ ପିତାମାତା ଶିକ୍ଷକଙ୍କ ଉପରେ ଭରସା କରି ନିଜ ପିଲାଙ୍କ ଦାୟିତ୍ୱ ଦେଇଥାନ୍ତି। ତେବେ ବଲାଙ୍ଗିର ଜିଲ୍ଲାରେ ଏପରି ଏକ ଘଟଣା ସାମାନକୁ ଆସିଛି ଯେଉଁଠି ପିଲାର ସାମାନ୍ୟ ଭୁଲ୍ରେ ହିତାହିତ ଜ୍ଞାନ ଭୁଲି ଶିକ୍ଷକଜଣକ ତାକୁ ନିର୍ଧୂମ ପିଟିଛନ୍ତି। ନିଜ ପିଲା ଶରୀରରେ କ୍ଷତ ଚିହ୍ନ ଦେଖି ଅଭିଭାବକ ଥାନାର ଦ୍ୱାରସ୍ଥ ହୋଇ ନ୍ୟାୟ ଭିକ୍ଷା କରିଛନ୍ତି। ଆହତ ଛାତ୍ରଜଣକ ହେଉଛନ୍ତି ବଲାଙ୍ଗିର ସହରର ସାଲେପାଲିଠାରେ ରହୁଥିବା ଉତ୍ତମ କୁମାର ଗୁପ୍ତାଙ୍କ ପୁଅ ଅମ୍ରିତ କୁମାର ଗୁପ୍ତା ।
ଅମ୍ରିତ ଗତକାଲି ସନ୍ଧ୍ୟାରେ ଟିକ୍ରାପଡାସ୍ଥିତ ଏକ୍ସସେଲେନ୍ସି କୋଚିଂ ସେଣ୍ଟରକୁ ପାଠ ପଢିବାକୁ ଯାଇଥିଲେ । କ୍ଲାସରେ ଥିବା ସମୟରେ କୌଣସି କାରଣ ବଶତଃ ହଠାତ ଏକ ମଗ୍ରୁ କିଛି ପାଣି ତଳେ ପଡି ଯାଇଥିଲା । ଏହାଦେଖି କୋଚିଂ ସେଣ୍ଟର ମାଳିକ ତଥା ଶିକ୍ଷକ ତରୁଣ ଅଗ୍ରୱାଲ, ଅମ୍ରିତକୁ ପ୍ରବଳ ପିଟିଥିଲେ। ଅମ୍ରିତର ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ହୋଇଥିବା ବେଳେ ଆଖି ନିକଟରେ ଗଭୀର କ୍ଷତ ହୋଇଛି।
ଟ୍ୟୁସନ ପରେ ଅମ୍ରିତ କାନ୍ଦି କାନ୍ଦି ଘରକୁ ଆସି ସବୁ କଥା କହିଥିଲା। ଖବର ପାଇ ତାଙ୍କ ବାପା ଘରେ ପହଞ୍ଚି ପୁଅ ଠାରୁ ପୂରା ଘଟଣା ଶୁଣିଥିଲେ । ଏହାପରେ ଏନେଇ ସେ ଟ୍ୟୁସନ ଶିକ୍ଷକ ତରୁଣ ଅଗ୍ରୱାଲଙ୍କ ନାଁରେ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ କାହାକୁ ଗିରଫ କରିନି।
ଏନେଇ ଆହତ ଅମ୍ରିତଙ୍କ ବାପା ଉତ୍ତମ ଗୁପ୍ତା କହିଛନ୍ତି, ପିଲା ଭୁଲ କଲେ ତାକୁ ବୁଝାଇବା ପରିବର୍ତ୍ତେ ଶିକ୍ଷକ ଏପରି ବର୍ବର କାଣ୍ଡ ଘଟାଇବା ଅତ୍ୟନ୍ତ ନିନ୍ଦନୀୟ। ତେଣୁ ମୁଁ ଥାନାର ଦ୍ୱାରସ୍ଥ ହୋଇଛି।
Powered by Froala Editor