ପୌର ନିର୍ବାହୀ ଅଧିକାରୀଙ୍କୁ ପୌରାଧ୍ୟକ୍ଷାଙ୍କ ଦୁର୍ବ୍ୟବହାର

ଯାଜପୁର: ପୌର ନିର୍ବାହୀ ଅଧିକାରୀଙ୍କୁ ପୌରାଧ୍ୟକ୍ଷାଙ୍କ ଦୁର୍ବ୍ୟବହାର। ଗାଳିଗୁଲଜ କରିବା ସହ ନିର୍ବାହୀ ଅଧିକାରୀଙ୍କ ଉପରକୁ ଫାଇଲ୍ ଫୋପାଡିଲେ ପୌରାଧ୍ୟକ୍ଷା। ଏଭଳି ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ବ୍ୟାସନଗର ପୌରପରିଷଦ କାର୍ଯ୍ୟାଳୟରେ।
ସୂଚନା ମୁତାବକ ଏକ ମୋବାଇଲ ଟାୱାର ବସାଇବା ପାଇଁ ନିର୍ବାହୀ ଅଧିକାରୀ NOC ଦେବାପରେ ପୌରାଧ୍ୟକ୍ଷା ସଙ୍ଗୀତା ପିଙ୍ଗୁଆ ଓ ନିର୍ବାହୀ ଅଧିକାରୀ ଅଶୋକ ରାଉତ ଙ୍କ ମଧ୍ୟରେ ତିକ୍ତତା ଆରମ୍ଭ ହୋଇଥିଲା। ଗତକାଲି ପୌରାଧ୍ୟକ୍ଷା ନିର୍ବାହୀ ଅଧିକାରୀଙ୍କୁ ନିଜ ଚାମ୍ବରକୁ ଡ଼ାକି କେତେଜଣ କାଉଁସିଲର ଙ୍କ ସମ୍ମୁଖରେ ଗାଳିଗୁଲଜ କରିବା ସହ ଏକ ଫାଇଲ୍ ନିର୍ବାହୀ ଅଧିକାରୀଙ୍କ ଉପରକୁ ଫୋପାଡି ଥିଲେ। ପରେ ସର୍ବସମ୍ମୁଖରେ ଅପଦସ୍ତ ହୋଇ ନିର୍ବାହୀ ଅଧିକାରୀ ସେଠାରୁ ଚାଲି ଯାଇଥିଲେ।
ପୂର୍ବରୁ ମଧ୍ୟ ପୌରାଧ୍ୟକ୍ଷା ଏହି ନିର୍ବାହୀ ଅଧିକାରୀଙ୍କୁ ଅନେକଥର ଦୁର୍ବ୍ୟବହାର କରିଥିବା କଥା ସାମ୍ନାକୁ ଆସିଥିଲା। ତେବେ ଗତକାଲିର ଏହି ଘଟଣା ସବୁ ସୀମା ଟପି ଯାଇଛି। ଜଣେ ସରକାରୀ ଅଧିକାରୀଙ୍କୁ ଜଣେ ଜନପ୍ରତିନିଧି ଙ୍କ ଏପରି ଦୁର୍ବ୍ୟବହାରକୁ ସବୁ ମହଲରେ ନିନ୍ଦା କରାଯାଉଛି। ସେପଟେ ଦିନରେ ଏହି ଘଟଣା ଘଟିଥିବା ବେଳେ ସନ୍ଧ୍ୟାରେ ନିର୍ବାହୀ ଅଧିକାରୀଙ୍କୁ ଅନ୍ୟତ୍ର ବଦଳି କରାଯାଇଥିବା ଜଣାପଡ଼ିଛି। ପୌରାଧ୍ୟକ୍ଷାଙ୍କ ଏପରି ଆଚରଣକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ନିର୍ବାହୀ ଅଧିକାରୀ।
Powered by Froala Editor