କୁକୁର, ବିଲେଇ ରଖିଥିଲେ ସତର୍କ ହୋଇଯାଆନ୍ତୁ : ନଚେତ୍ ଦେବାକୁ ପଡ଼ିବ ୧୦ହଜାର ଜରିମାନା
ଗତ କେତେ ମାସ ହେବ ସହର ଓ ତା’ର ଆଖପାଖ ଅଞ୍ଚଳରେ କୁକୁର କାମୁଡ଼ା ଘଟଣା ବୃଦ୍ଧି ପାଉଥିବାରୁ କୁକୁର ମାଲିକଙ୍କ ଉପରେ ୧୦, ୦୦୦ ଟଙ୍କା ଜରିମାନା କରିବା ପାଇଁ ନଏଡ଼ା କର୍ତ୍ତୃପକ୍ଷ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଏଣିକି କୌଣସି ବ୍ୟକ୍ତିଙ୍କୁ ପୋଷା କୁକୁର କାମୁଡିଲେ ତା’ ମାଲିକଙ୍କୁ ଦେବାକୁ ପଡିବ ମୋଟା ଅଙ୍କର ଜରିମାନା। କୁକୁର ମାଲିକଙ୍କୁ ଉକ୍ତ ବ୍ୟକ୍ତିଙ୍କୁ ୧୦ ହଜାର ଟଙ୍କା ଦେବାକୁ ପଡିବ ବୋଲି ନଏଡା କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି। ୨୦୨୩ ମାର୍ଚ ପହିଲାରୁ ଏହି ନିୟମ ଲାଗୁ ହେବ।
ସୂଚନାନୁସାରେ, କୁକୁରଙ୍କ ଦୌରାତ୍ମ୍ୟ ଏବଂ ପୋଷା କୁକୁରଙ୍କ ଆକ୍ରମଣ ପ୍ରସଙ୍ଗରେ ଆଲୋଚନା କରିବା ଲାଗି ଶନିବାର ଦିନ ନଏଡା କର୍ତ୍ତୃପକ୍ଷ ବୋର୍ଡ ମିଟିଙ୍ଗ୍ ଡକାଇଥିଲେ। ଏହି ବୈଠକ ଶେଷ ହେବା ପରେ ନଏଡ଼ା କର୍ତ୍ତୃପକ୍ଷ ଜାରି କରିଥିବା ଆଦେଶ ଅନୁସାରେ, ୨୦୨୩ ମାର୍ଚ ୧ ତାରିଖରୁ ଯଦି ପୋଷା କୁକୁର କି, ବିରାଡ଼ି ଯୋଗୁଁ କୌଣସି ଅପ୍ରୀତିକର ଘଟଣା ଘଟେ, ତେବେ ତା’ର ମାଲିକଙ୍କ ଉପରେ ଅର୍ଥଦଣ୍ଡ ପଡ଼ିବ।
‘ପ୍ରାଣୀ ମଙ୍ଗଳ ବୋର୍ଡ’ ନିୟମ ଅନୁସାରେ, ନୀତି ନିର୍ଦ୍ଧାରଣ କରିବା ଲାଗି ଏହି ବୈଠକରେ ନଏଡ଼ା କର୍ତ୍ତୃପକ୍ଷ ସବିଶେଷ ଗାଇଡ୍ଲାଇନ୍ ଜାରି କରିଛନ୍ତି। ସେହିପରି, ୨୦୨୩ ମାର୍ଚ ସୁଦ୍ଧା ‘ନଏଡା ଅଥରିଟି ପେଟ୍ ରେଜିଷ୍ଟ୍ରେସନ୍ ଆପ୍’ ଜରିଆରେ ପୋଷା କୁକୁର ଓ ବିରାଡ଼ିମାନଙ୍କର ପଞ୍ଜିକରଣ ବାଧ୍ୟତାମୂଳକ କରାଯାଇଛି। ପୋଷାଜନ୍ତୁଙ୍କୁ ପଞ୍ଜିକରଣ ନ କଲେ ବି ଜରିମାନା ପଡ଼ିବ।
Powered by Froala Editor