ଗଂଗା ନଦୀରୁ ମିଳିଛି ୨ ହଜାରରୁ ଅଧିକ ଶବ
ନୂଆଦିଲ୍ଲୀ: ଗତ କିଛିଦିନ ହେଲା ଗଂଗା ନଦୀରେ ଶବ ଭାସିବା ଖବର ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି । ପ୍ରଥମେ ବିହାରର ବକ୍ସର ଜିଲ୍ଲାରେ ଗଂଗାରେ ଶବ ଭାସୁଥିଲା । ବକ୍ସର କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ ଚୌବେଙ୍କ ସଂସଦୀୟ କ୍ଷେତ୍ର । ତେଣୁ ସେଠାରେ ଗଂଗା ନଦୀରୁ ପ୍ରଥମେ ୪୦ରୁ ଅଧିକ ଶବ ଭାସୁଥିବା ଦେଖିବାକୁ ମିଳିବା ପରେ ଦେଶରେ କରୋନାର ଭୟଙ୍କର ଚିତ୍ର ସାମ୍ନାକୁ ଆସିଥିଲା । କରୋନାରେ ମୃତ ବ୍ୟକ୍ତିଙ୍କ ପରିବାର କୌଣସି କାରଣରୁ ଶବ ଦାହ ନକରି ଗଂଗାରେ ଭସାଇ ଦେଉଥିବା ଅଭିଯୋଗ ହୋଇଥିଲା । କିନ୍ତୁ ଏବେ ଆହୁରି ଭୟାନକ ଖବର ସାମ୍ନାକୁ ଆସୁଛି । ଉତ୍ତର ପ୍ରଦେଶରେ ଗଂଗା ନଦୀ ପ୍ରାୟ ୧୧୪୦ କିମି ପର୍ଯ୍ୟନ୍ତ ପ୍ରବାହିତ ହୋଇଛି । ଏହାପରେ ବିହାରରେ ପ୍ରବେଶ କରିଛି । ଉତ୍ତର ପ୍ରଦେଶର ୧୧୪୦ କିମି ମଧ୍ୟରେ ୨୦୦୦ରୁ ଅଧିକ ଶବ ଗଂଗା ନଦୀରୁ ମିଳିଥିବା କେତେକ ଗଣମାଧ୍ୟମରେ ପ୍ରକାଶ ପାଇଛି । ରିପୋର୍ଟ ମୁତାବକ ୩୫୦ରୁ ଅଧିକ ଶବ କନୌଜର ମହାଦେବୀ ଗଂଗା ଘାଟରେ ପୋତା ଯାଇଛି । ପ୍ରଶାସନ ମାଟି ପକାଇ ଏହି ଶବକୁ ପୋତିଥିବା କୁହାଯାଉଛି । ସେହିଭଳି କାନପୁର ନିକଟରେ ଶେରେଶ୍ୱର ଘାଟ ନିକଟରେ ୪୦୦ରୁ ଅଧିକ ଶବ ପୋତାଯାଇଛି ବୋଲି କୁହାଯାଉଛି । ପ୍ରୟାଗରାଜରେ ମଧ୍ୟ ନଦୀ ବାଲିରୁ ୩ ଶହରୁ ଅଧିକ ଶବ ଠାବ ହୋଇଥିବା ଜଣାପଡ଼ିଛି ।
Powered by Froala Editor