ବମ୍ପର ନିଯୁକ୍ତି ସୁଯୋଗ, ୭ ହଜାର ୫୪୦ ଶିକ୍ଷକଙ୍କୁ ନିଯୁକ୍ତିକୁ ଅନୁମୋଦନ

ଭୁବନେଶ୍ୱର: ରାଜ୍ୟରେ ଯୁବକ ଯୁବତୀଙ୍କ ପାଇଁ ବମ୍ପର ନିଯୁକ୍ତି ସୁଯୋଗ। ସରକାରୀ ମାଧ୍ୟମିକ ସ୍କୁଲରେ ୭ହଜାର ୫୪୦ ଶିକ୍ଷକଙ୍କୁ ନିଯୁକ୍ତିକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ନୂତନ ଶିକ୍ଷକ ନିଯୁକ୍ତି ନେଇ ଖୁବଶୀଘ୍ର ପ୍ରକ୍ରିୟା ଆରମ୍ଭ ହେବ । ରାଜ୍ୟ ସରକାର ଗତବର୍ଷ ୧୩ହଜାର ଶିକ୍ଷକଙ୍କୁ ନିଯୁକ୍ତି ଦେଇଛନ୍ତି । ଚଳିତବର୍ଷ ମଧ୍ୟ ଶିକ୍ଷା କ୍ଷେତ୍ରରେ ମେଗା ନିଯୁକ୍ତି ପ୍ରଦାନ କରିବେ ରାଜ୍ୟ ସରକାର । ଯୁବକ-ଯୁବତୀଙ୍କୁ ନିଯୁକ୍ତି ପ୍ରଦାନ କରି ଆତ୍ମନିର୍ଭର କରିବା ଦିଗରେ ରାଜ୍ୟ ସରକାରଙ୍କ ଏହା ବଳିଷ୍ଠ ଉଦ୍ୟମ । ଏହି କ୍ରମରେ ଚଳିତ ବର୍ଷ ୭ହଜାର ୫୪୦ ଶିକ୍ଷକଙ୍କୁ ନିଯୁକ୍ତି ପ୍ରଦାନ କରିବେ ।
ରାଜ୍ୟର ବିଭିନ୍ନ ସରକାରୀ ହାଇସ୍କୁଲ ମାନଙ୍କରେ ବିଭିନ୍ନ ବିଷୟରେ ଖାଲି ଥିବା ଶିକ୍ଷକ ପଦବୀ ପୂରଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ଖୁବଶୀଘ୍ର ୭୫୪୦ ହାଇସ୍କୁଲ ନିଯୁକ୍ତ ପ୍ରକ୍ରିୟା ଆରମ୍ଭ କରିବା ପାଇଁ ଓଡିଶା ଷ୍ଟାଫ ସିଲେକ୍ସନ କମିଶନଙ୍କୁ ଅନୁରୋଧ କରାଯାଇଛି। ଏହି ପଦବୀ ଗୁଡିକ ପୂରଣ ହେବା ପରେ ରାଜ୍ୟର ସମସ୍ତ ୪୮୪୮ଟି ସରକାରୀ ହାଇସ୍କୁଲର ସବୁ ଶିକ୍ଷକ ପଦବୀ ପୂରଣ ହୋଇପାରିବ।
ଟିଜିଟି (କଳା), ଟିଜିଟି (ପିସିଏମ ଓ ସିବିଜେଡ୍), ସଂସ୍କୃତ, ହିନ୍ଦି, ଉର୍ଦ୍ଦୁ, ତେଲୁଗୁ ଓ ଶାରୀରିକ ଶିକ୍ଷକ ପଦବୀ ପୂରଣ ନିମନ୍ତେ ଚୟନ ପ୍ରକ୍ରିୟା ଆରମ୍ଭ କରାଯିବ। ପ୍ରକାଶ ଥାଉ କି, ୨୦୨୧-୨୨ ବର୍ଷରେ କରାଯାଇଥିବା ଦୁଇଟି ଚୟନ ପ୍ରକ୍ରିୟାରେ ୧୩ ହଜାରରୁ ଉର୍ଦ୍ଧ୍ବ ଶିକ୍ଷକ ପଦବୀ ପୂରଣ କରାଯାଇ ବିଭିନ୍ନ ସରକାରୀ ବିଦ୍ୟାଳୟ ମାନଙ୍କରେ ନିଯୁକ୍ତ କରାଯାଇଥିଲା।
Powered by Froala Editor