ହସ୍ପିଟାଲ ବାଥ୍ରୁମ୍ରେ ରୋଗୀଙ୍କ ଆତ୍ମହତ୍ୟା
ଏମ୍କେସିଜି କାଜୁଆଲିଟି ବାଥ୍ରୁମ୍ରେ ଜଣେ ରୋଗୀ ଆତ୍ମହତ୍ୟା କରିଛନ୍ତି । ମୃତ ରୋଗୀ ଜଣକ ହେଉଛନ୍ତି ଗଞ୍ଜାମ ଜିଲ୍ଲା ବଡଗଡ ଥାନା ଏକଲପୁର ଗାଁର ରାଜେନ୍ଦ୍ର ମୁନି(୩୮) । ତେବେ ତାଙ୍କ ଆତ୍ମହତ୍ୟାର କାରଣ ଜଣାପଡିନି । ପୁଲିସ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି କହିଛି । ଏନେଇ ବୈଦ୍ୟନାଥପୁର ଥାନା ପୁଲିସ କେସ୍ ନମ୍ବର ୨୪୪/୨୧ରେ ଅପମୃତ୍ୟୁ ମାମଲା ରୁଜୁ କରିଥିବା ଏଏସ୍ପି ପ୍ରଭାତ ରାଉତରାୟ ସୂଚନା ଦେଇଛନ୍ତି।
ସୂଚନା ଅନୁସାରେ, ଗଞ୍ଜାମ ଜିଲ୍ଲା ବଡ଼ଗଡ଼ ଥାନା ଅନ୍ତର୍ଗତ ଏକଲପୁର ଗ୍ରାମର ବାଞ୍ଝାନିଧି ମୁନିଙ୍କ ପୁଅ ରାଜେନ୍ଦ୍ରଙ୍କୁ କିଛିଦିନ ତଳେ ଜ୍ବର ହୋଇଥିଲା। ହଠାତ୍ ତାଙ୍କର ସ୍ବାସ୍ଥ୍ୟାବସ୍ଥାରେ ଅବନତି ଦେଖା ଦେଇଥିଲା। ଏଣୁ ତାଙ୍କୁ ଏମ୍କେସିଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ତାଙ୍କୁ କାଜୁଆଲ୍ଟିରେ ଭର୍ତ୍ତି କରାଯାଇଥିଲା। ସେ ଶ୍ବାସକ୍ରିୟାରେ କଷ୍ଟ ଅନୁଭବ କରୁଥିଲେ। ଫଳରେ ତାଙ୍କୁ ଅକ୍ସିଜେନ୍ ଦିଆଯାଇଥିଲା। ରବିବାର ଅପରାହ୍ଣରେ ରାଜେନ୍ଦ୍ର ଶୌଚାଳୟ ଯାଇଥିଲେ। ଦୀର୍ଘ ସମୟ ପରେ ମଧ୍ୟ ସେ କବାଟ ଖୋଲି ନଥିଲେ। ଫଳରେ ବାହାରେ ଜଗିଥିବା ଶଳା ସଂଜୟଙ୍କୁ ସନ୍ଦେହ ହୋଇଥିଲା। ଏ ନେଇ ସେ ସୁରକ୍ଷା କର୍ମୀଙ୍କୁ ଖବର କରିଥିଲେ। ରାଜେନ୍ଦ୍ରଙ୍କୁ ବାହାରୁ ଡାକିବା ପରେ ମଧ୍ୟ ସେ ଶୁଣି ନଥିଲେ। ଫଳରେ ପୁଲିସକୁ ଖବର କରାଯାଇଥିଲା।
ପୁଲିସ ପହଞ୍ଚିବା ପରେ ମାଜିଷ୍ଟ୍ରେଟ୍ଙ୍କ ଉପସ୍ଥିତିରେ କବାଟ ଭଙ୍ଗା ଯାଇଥିଲା। କବାଟ ଭାଙ୍ଗି ଦେଖିବା ବେଳେ ରାଜେନ୍ଦ୍ରଙ୍କ ଶବ ଏକ ଗାମୁଛାରେ ବନ୍ଧା ହୋଇଥିଲା। ତାଙ୍କୁ ଉଦ୍ଧାର କରି ଡାକ୍ତରଙ୍କ ପାଖକୁ ନିଆଯାଇଥିଲା। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
Powered by Froala Editor