ମାତୃଭାଷାରେ ପାଠ ପଢ଼ିଲେ ଛାତ୍ରଛାତ୍ରୀଙ୍କ ଭିତରେ ଥିବା ଗଭୀର ଚିନ୍ତନ ଓ ବିଶ୍ଳେଷଣାତ୍ମକ ଦକ୍ଷତା ବୃଦ୍ଧି ପାଇବ:ରାଷ୍ଟ୍ରପତି

ଭୁବନେଶ୍ୱର: ଆଜି ଜୟଦେବ ଭବନରେ ଆୟୋଜିତ ସ୍ୱତନ୍ତ୍ର କାର୍ୟ୍ୟକ୍ରମରେ ରାଷ୍ଟ୍ରପତି ଉଭୟ ଡିଗ୍ରୀ ଓ ଡିପ୍ଲୋମା ଛାତ୍ରଛାତ୍ରୀଙ୍କ ପାଇଁ ଓଡ଼ିଆ ଭାଷାରେ ଇଂଜିନିୟରିଂ ପୁସ୍ତକ ଉନ୍ମୋଚିତ କରିଛନ୍ତି।
ନିଜ ଅଭିଭାଷଣରେ ରାଷ୍ଟ୍ରପତି କହିଛନ୍ତି, ସ୍ଥାନୀୟ ଓ ଆଞ୍ଚଳିକ ଭାଷାରେ ଶିକ୍ଷା ଦେବାକୁ ଜାତୀୟ ଶିକ୍ଷା ନୀତି-୨୦୨୦ରେ ଗୁରୁତ୍ୱ ଦିଆଯାଇଛି। ଅତିକମ୍ରେ ୫ମ ଗ୍ରେଡ ପର୍ୟ୍ୟନ୍ତ ମାତୃଭାଷାରେ ଶିକ୍ଷାଦାନ ଦିଆଯିବା ଉଚିତ ବୋଲି ଉଲ୍ଲେଖ କରାଯାଇଛି। କେନ୍ଦ୍ର ଶିକ୍ଷା ବିଭାଗର ଏହା ଏକ ପ୍ରେରଣାଦାୟୀ ପଦକ୍ଷେପ। ଏହାଦ୍ୱାରା ଶିକ୍ଷା ସମସ୍ତଙ୍କ ପାଖରେ ପହଞ୍ଚିପାରିବ।
ଏହି ଅବସରରେ ସେ କହିଛନ୍ତି, ଇଂରାଜୀ ଭାଷାରେ ଦିଆଯାଉଥିବା ଶିକ୍ଷାକୁ ବହୁ ଛାତ୍ରଛାତ୍ରୀ ବୁଝି ପାରୁ ନାହାନ୍ତି। ତେଣୁ ମାତୃଭାଷାରେ ବୈଷୟିକ ଶିକ୍ଷା ଦେବାକୁ ନିଷ୍ପତ୍ତି ନିଆଯାଇଛି। ୫୦ ହଜାର ବୈଷୟିକ ଶବ୍ଦର ଓଡ଼ିଆ ଭାଷାନ୍ତର ହୋଇଛି। ଛାତ୍ରଛାତ୍ରୀ ନିଜ ମାତୃଭାଷାରେ ବୈଷୟିକ ଶିକ୍ଷା ପଢ଼ିଲେ ସେମାନଙ୍କ ବୌଦ୍ଧିକ ବିକାଶରେ ଏହା ସହାୟକ ହୋଇପାରିବ। ଏହା ସେମାନଙ୍କ ପାଠପଢ଼ାକୁ ସୁଗମ କରିବ। ସେଥିନିମନ୍ତେ ଇ-କୁମ୍ଭ ଭାରତୀୟ ଭାଷା ପାଇଁ ଜ୍ଞାନର ଦ୍ୱାର ଉନ୍ମୁକ୍ତ କରିବ।
ମାତୃଭାଷାରେ ପାଠ ପଢ଼ିଲେ ଛାତ୍ରଛାତ୍ରୀଙ୍କ ଭିତରେ ଥିବା ଗଭୀର ଚିନ୍ତନ ଓ ବିଶ୍ଳେଷଣାତ୍ମକ ଦକ୍ଷତା ବୃଦ୍ଧି ପାଇବ। ଏହାଦ୍ୱାରା ସହରାଞ୍ଚଳ ଓ ଗ୍ରାମାଞ୍ଚଳ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସମାନ ଦକ୍ଷତା ବୃଦ୍ଧି ପାଇବ। ତୃଣମୂଳ ସ୍ତରରେ ମେଧାକୁ ବିକଶିତ କରିବାକୁ ଭାରତ ସରକାର ଖୁବ୍ ଗୁରୁତ୍ୱ ଦେଉଛନ୍ତି। ଛାତ୍ରଛାତ୍ରୀଙ୍କୁ ସ୍ୱାଭାବିକ ଭାବେ ବିକଶିତ ହେବା ପାଇଁ ସୁଯୋଗ ଦେବା ତଥା ରାଷ୍ଟ୍ର ଗଠନରେ ଅବଦାନ ଦେବା କେନ୍ଦ୍ର ସରକାରଙ୍କ ଲକ୍ଷ୍ୟ ବୋଲି କହିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।
Powered by Froala Editor