କିୟାକଣି ହ୍ରଦରେ ପୁଣି ଆରମ୍ଭ ହେବ ନୌବିହାର

ଭୁବନେଶ୍ୱର: ନନ୍ଦନକାନନ ଭିତରେ ଅସ୍ତିତ୍ୱ ହରାଇଥିବା କିୟାକଣି ହ୍ରଦ ପୁଣି ତା’ର ହୃତସୌନ୍ଦର୍ୟ୍ୟ ଫେରିପାଇବ । ସେଥିରେ ପୁଣି ପକ୍ଷୀ ଖେଳିବେ । ପାଣି ବି ବ୍ୟବହାର ଉପଯୋଗୀ ହେବ । ନୌବିହାର ଆରମ୍ଭ ହେବ । ବିଷ ପାଣିର ଜ୍ୱାଳାରେ ଜଳୁଥିବା ନନ୍ଦନକାନ ପଶୁପକ୍ଷୀମାନେ ଆଶ୍ୱସ୍ତି ପାଇବେ । ହ୍ରଦର ପୁନଃଉଦ୍ଧାର କାର୍ୟ୍ୟ ଆରମ୍ଭ ହେବ । ଆଇଆଇଟି ମାଡ୍ରାସର ବିଶେଷଜ୍ଞ ଦଳ ଏହାର ସର୍ଭେ କରିବେ । ଏହାପରେ ଆୟୁର୍ବେଦିକ ପଦ୍ଧତିରେ ପାଣିକୁ ପରିଷ୍କାର କରାଯିବାର ଯୋଜନା ରହିଛି ।
ନନ୍ଦନକାନନ ପକ୍ଷରୁ ଏନେଇ ପଦକ୍ଷେପ ନିଆଯାଇଛି । ଜଳ ସମ୍ପଦ ଡ୍ରେନେଜ ବିଭାଗ ପକ୍ଷରୁ ଏନେଇ କାର୍ୟ୍ୟ ଆରମ୍ଭ ହେବ । ଏଥିପାଇଁ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ୯କୋଟି ଟଙ୍କା ଖର୍ଚ୍ଚ ହେବ । ନନ୍ଦନକାନନକୁ ଲାଗି ଥିବା ୨୫ ହେକ୍ଟର ବିଶିଷ୍ଟ ଏହି ହ୍ରଦ ପୁଣି ହସିବ । ଏହି ହ୍ରଦର ୨ପାଶ୍ୱର୍ରେ ସିମେଣ୍ଟ ୱାଲ୍ ମଧ୍ୟ ତିଆରି କରାଯିବ । ଏହାର ଚାରିପାଖ ସୌନ୍ଦର୍ୟ୍ୟକରଣ କରାଯିବ । ନନ୍ଦନକାନନର ଜଣେ ବରିଷ୍ଠ ଅଧିକାରୀ ଏହି ସୂଚନା ଦେଇଛନ୍ତି ।
ବର୍ଷ ବର୍ଷ ଧରି କିୟାକାନି ହ୍ରଦ ଦଳଭର୍ତ୍ତି ହୋଇରହିଛି । ଏହି ବିଷ ପାଣି ନନ୍ଦନକାନନ ଉପରେ ପ୍ରଭାବ ପକାଉଛି । ପଶୁପକ୍ଷୀ ମାନେ ଏହି ବିଷ ପାଣିର ଶିକାର ହେଉଛନ୍ତି । ଦଳ ଜମି ରହିବାରୁ ଏହି ହ୍ରଦ ପୋତି ହେବାକୁ ବସିଲାଣି । ଗନ୍ଧରେ ଫାଟି ପଡୁଛି । ଫଳରେ ନନ୍ଦନକାନନକୁ ଆସୁଥିବା ପର୍ୟ୍ୟଟକଙ୍କ ଉପରେ ମଧ୍ୟ ଏହାର ପ୍ରଭାବ ପଡୁଛି । ପୂର୍ବରୁ ଏହି ହ୍ରଦ ଉପରେ ବହୁ ଲୋକ ନିର୍ଭର କରୁଥିଲେ ।
Powered by Froala Editor