ଆଜି ୧ଟାରୁ ବନ୍ଦ ରହିବ ସମସ୍ତ ସରକାରୀ ଦପ୍ତର ଓ ଶିିକ୍ଷାନୁଷ୍ଠାନ

ଭୁବନେଶ୍ୱର: ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ଭିଡ଼କୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ରାଜଧାନୀ ଭୁବନେଶ୍ୱରରେ ଅଧାଦିନ ଛୁଟି ଘୋଷଣା କରିଛନ୍ତି । ଗୁରୁବାର ଦିନ ୧ଟାରୁ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଏହି ଛୁଟି ଲାଗୁ ହେବ । ସମସ୍ତ ସରକାରୀ ଦପ୍ତର ଓ ସରକାରୀ ତଥା ବେସରକାରୀ ଶିିକ୍ଷାନୁଷ୍ଠାନଗୁଡ଼ିକ ବନ୍ଦ ରହିବ । ରାଷ୍ଟ୍ରପତିଙ୍କ ସମ୍ମାନ ଉଦ୍ଦେଶ୍ୟରେ ତଥା ତାଙ୍କ ଗସ୍ତର ସଫଳତାକୁ ଦୃଷ୍ଟିରେ ରଖି ରାଜସ୍ୱ ଓ ବିପର୍ୟ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଏହି ଛୁଟି ଘୋଷଣା କରାଯାଇଛି ।
ଆଜି ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଦେଶର ସର୍ବୋଚ୍ଚ ଆସନରେ ଅଧିଷ୍ଠିତ ହେବା ପରେ ପ୍ରଥମ ଥର ପାଇଁ ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ୨ଦିନିଆ ଗସ୍ତରେ ଆସି ପ୍ରଥମେ ପୁରୀ ଯାଇ ମହାପ୍ରଭୁଙ୍କ ଆଶିଷ ନେବେ ରାଷ୍ଟ୍ରପତି।
ଆଜି ସକାଳ ୧୦ଟା ୫୦ରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ରାଷ୍ଟ୍ରପତିଙ୍କୁ ଗାର୍ଡ ଅଫ୍ ଅନର୍ ପ୍ରଦାନ କରାଯିବ। ବିମାନବନ୍ଦରରୁ ବାୟୁସେନାର ସ୍ୱତନ୍ତ୍ର ଚପରରେ ସିଧାସଳଖ ପୁରୀ ଯିବେ। ରାଷ୍ଟ୍ରପତି ଚପରରୁ ତାଳବଣିଆରେ ଓହ୍ଲାଇବା ପରେ ସେଠୁ ସଡ଼କପଥରେ ଶ୍ରୀମନ୍ଦିରକୁ ଯିବେ। ମଧ୍ୟାହ୍ନରେ ରାଷ୍ଟ୍ରପତି ଶ୍ରୀମନ୍ଦିରରେ ପହଞ୍ଚିବା ପରେ ସିଂହଦ୍ୱାର ନିକଟରେ ତାଙ୍କୁ ସ୍ୱାଗତ କରିବେ ଗଜପତି ମହାରାଜା ଦିବ୍ୟସିଂହ ଦେବ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ତାଙ୍କୁ ପଟ୍ଟଚ୍ଚିତ୍ର ପ୍ରଦାନ କରାଯିବ। ଶ୍ରୀମନ୍ଦିରରେ ରାଷ୍ଟ୍ରପତିଙ୍କର ପ୍ରାୟ ୧ ଘଣ୍ଟାର ଦର୍ଶନ କାର୍ୟ୍ୟକ୍ରମ ରହିଛି।
ଏହାପରେ ରାଜଭବନକୁ ଯାଇ ସେ ମହାପ୍ରସାଦ ସେବନ କରିବେ। ପୁରୀରୁ ଅପରାହ୍ଣରେ ଭୁବନେଶ୍ୱର ଫେରି, ରାଜଧାନୀର ୮ଟି ସ୍ଥାନରେ ସ୍ୱାଧୀନତା ସଂଗ୍ରାମୀ ଓ ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ ଦ୍ରୌପଦୀ ମୁର୍ମୁ। ରାଜଭବନରେ ତାଙ୍କର ରାତ୍ରିଯାପନ ବ୍ୟବସ୍ଥା ହୋଇଛି। ଗସ୍ତର ଦ୍ୱିତୀୟ ଦିନରେ ସ୍କୁଲ ପରିଦର୍ଶନ ପରେ ଦିନ ୧୧ଟାରେ ଶେଷ କାର୍ୟ୍ୟକ୍ରମ ରହିଛି ଜୟଦେବ ଭବନରେ। ଏହାପରେ ସେ ଦିଲ୍ଲୀ ବାହୁଡ଼ିଯିବେ।
Powered by Froala Editor