ଅବକାରୀ ଦୁର୍ନୀତି ମାମଲା : ଦିନେଶ ଆରୋରା ହେବେ ସରକାରୀ ସାକ୍ଷୀ
![ଅବକାରୀ ଦୁର୍ନୀତି ମାମଲା : ଦିନେଶ ଆରୋରା ହେବେ ସରକାରୀ ସାକ୍ଷୀ](https://odishanewslens.com/news_gallery/17444_1667850245.jpg)
ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କ ଘନିଷ୍ଠ ସହଯୋଗୀ ଦିନେଶ ଆରୋରା ସରକାରୀ ସାକ୍ଷୀ ହେବା ଲାଗି ନିଷ୍ପତ୍ତି ନେଇଛନ୍ତି। ଦିନେଶ ନିଜ ଆଡ଼ୁ ସରକାରୀ ସାକ୍ଷୀ ହେବାକୁ ଚାହୁଁଥିବା ଆଜି ସିବିଆଇ ସ୍ଥାନୀୟ କୋର୍ଟଙ୍କୁ ଜଣାଇଛି। ଗତ ସପ୍ତାହରେ ଦିଲ୍ଲୀ ଅବକାରୀ ନୀତି ମାମଲାରେ ଅରୋରାଙ୍କୁ ଜାମିନ ମିଳିଥିଲା। ସେ ଜାମିନ ଆବେଦନ କରିଥିବା ବେଳେ ଏହାକୁ ସିବିଆଇ ଆଦୌ ବିରୋଧ କରି ନଥିଲା। ସେ ବିନା କୌଣସି ସମସ୍ୟାରେ ଜାମିନ ପାଇଥିବା ବେଳେ ଆଜି ସେ ସରକାରୀ ସାକ୍ଷୀ ବନିଛନ୍ତି।
ଦୀନେଶ ଆରୋରା କୋର୍ଟଙ୍କୁ କହିଛନ୍ତି, “ମୋ ଓକିଲ ଆରକେ ଠାକୁରଙ୍କ ଦ୍ୱାରା ୨୦୨୨ ନଭେମ୍ବର ୧ରେ ଗୋଟିଏ ଆବେଦନ କରାଯାଇଥିଲା। ମୁଁ ସ୍ୱେଚ୍ଛାକୃତ ଭାବେ ସରକାରୀ ସାକ୍ଷୀ ହେବାକୁ ପ୍ରସ୍ତୁତ ଅଛି।” ସେ ଆହୁରି କହିଛନ୍ତି, “ମୁଁ ଏହି ମାମଲା ସହ ଜଡ଼ିତ ସମସ୍ତ ତଥ୍ୟ କୋର୍ଟ ଆଗରେ ଉପସ୍ଥାପନ କରିବି। ଏହି ମାମଲାରେ ମୋ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗରେ କ’ଣ ସବୁ ସତ୍ୟତା ରହିଛି, ସେକଥା ମଧ୍ୟ କହିବି।
ଏନେଇ ସିବିଆଇ ସୋମବାର ଦିଲ୍ଲୀ ରାଉଜ ଏଭେନ୍ୟୁ କୋର୍ଟରେ ଆବେଦନ କରିଛି। ଅନ୍ୟପଟେ ଏହା ସିସୋଡିଆଙ୍କ ପାଇଁ ସମସ୍ୟା ସୃଷ୍ଟି କରିପାରେ ବୋଲି କୁହାଯାଉଛି। ମାମଲାର ସାକ୍ଷୀ ଭାବେ ଆରୋରାଙ୍କୁ ଆଗୁଆ ଜାମିନରେ ନେବା ଲାଗି ସିବିଆଇ ଅଦାଲତଙ୍କ ଅନୁମତି ଲୋଡ଼ିଛି। ମାମଲାର ଅନ୍ୟ ଅଭିଯୁକ୍ତମାନଙ୍କ ସହ ବ୍ୟବସାୟୀ ଆରୋରାଙ୍କର ଘନିଷ୍ଠ ସମ୍ପର୍କ ରହିଛି। ନୂଆ ଅବକାରୀ ନୀତିରେ ମଦ ଲାଇସେନ୍ସ ପ୍ରଦାନରେ ହୋଇଥିବା ଅର୍ଥ କାରବାର ସହ ସେ ସମ୍ପୃକ୍ତ ଥିଲେ।
Powered by Froala Editor