ଭକ୍ତଙ୍କୁ ଆକ୍ରମଣ ଘଟଣାରେ କାର୍ୟ୍ୟାନୁଷ୍ଠାନ, ହାବିଲଦାର ନିଲମ୍ବିତ
ପୁରୀ: ଶ୍ରୀମନ୍ଦିର ପରିସରରେ ମହିଳା ଭକ୍ତଙ୍କୁ ଆକ୍ରମଣ ଘଟଣାରେ କାର୍ୟ୍ୟାନୁଷ୍ଠାନ । ହାବିଲଦାରଙ୍କୁ ନିଲମ୍ବିତ କଲେ ପୁରୀ ଏସପି । ଏହା ସହ ଏଏସପି ରାଙ୍କର ଅଧିକାରୀଙ୍କୁ ଘଟଣାର ତଦନ୍ତ ଦାୟିତ୍ୱ ଦିଆଯାଇଛି । ସଦର ହସ୍ପିଟାଲରେ ମହିଳାଙ୍କୁ ଚିକିତ୍ସା କରାଯାଉଥିବା ବେଳେ ତାଙ୍କ ଅବସ୍ଥା ସୁସ୍ଥ ଥିବା ଜଣାପଡ଼ିଛି । କାର୍ତିକରେ ଶ୍ରୀଜିଉଙ୍କ ଦର୍ଶନ ପାଇଁ ଆସିଥିବା ମହିଳା ଶ୍ରଦ୍ଧାଳୁଙ୍କୁ ଜଣେ ପୁଲିସ କର୍ମଚାରୀ ମାଡ ମାରିଥିବା ଅଭିଯୋଗ ହୋଇଥିଲା । ମହିଳା ଶ୍ରଦ୍ଧାଳୁଙ୍କୁ ମାଡ ମାରି ମୁଣ୍ଡ ଫଟେଇ ଦେଇଥିଲେ ପୁଲିସ କର୍ମଚାରୀ ।ଶ୍ରୀମନ୍ଦିରରେ ଗୁଣ୍ଡାଗିରି କରିବାକୁ ପଛାଇ ନାହିଁ ପୁଲିସ। ଶ୍ରୀମନ୍ଦିର ପରିସରରେ ଜଣେ ମହିଳା ହବିଷିଆଳୀଙ୍କୁ ତଳେ ପକେଇ ମୁଣ୍ଡ ଫଟାଇ ଦେଇଛି। ମହିଳା ଜଣଙ୍କ ହେଲେ ମାଧୁରୀ ଦାଶ। ତାଙ୍କ ଘର ବ୍ରହ୍ମପୁର ଅଞ୍ଚଳରେ ବୋଲି ଜଣାଯାଇଛି। ମାଧୁରୀଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ତାଙ୍କୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ମାଧୁରୀ କାର୍ତ୍ତିକ ବ୍ରତ ପାଳନ ପାଇଁ ମାସେ ହେଲା ବାସେଳିସାହିରେ ଥିବା ହବିଷିଆଳୀ ଶିବିରରେ ରହୁଥିଲେ। ସେ ସରକାରଙ୍କ ପକ୍ଷରୁ ବ୍ୟବସ୍ଥା କରାଯାଇଥିବା ହବିଷିଆଳୀଙ୍କ ଶିବିରରେ ରହୁ ନଥିଲେ। ଆଜି ପଞ୍ଚୁକର ଚତୁର୍ଥ ଦିନରେ ସେ ଶ୍ରୀଜିଉଙ୍କ ଦର୍ଶନ କରିବାକୁ ଶ୍ରୀମନ୍ଦିର ଯାଇଥିଲେ। ଘଣ୍ଟି ଦ୍ୱାର ନିକଟରେ ମାଧୁରୀଙ୍କୁ ପୁଲିସ ଅଟକାଇଥିଲା। ଏନଇ ମାଧୁରୀ ଓ ପୁଲିସଙ୍କ ମଧ୍ୟରେ ଯୁକ୍ତତର୍କ ହୋଇଥିଲା। ପରେ ଜଣେ ପୁଲିସ କର୍ମଚାରୀ ତାଙ୍କୁ ଠେଲି ଦେଇଥିଲା। ମାଧୁରୀ ତଳେ ପଡ଼ିଯାଇଥିଲେ, ତାଙ୍କ ମୁଣ୍ଡ ଫାଟିଯାଇଥିଲା। ମାଧୁରୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
Powered by Froala Editor