ଜାତୀୟ ଭିଜିଲାନ୍ସ ସଚେତନତା ସପ୍ତାହ ଆଜିଠୁ, ଉଦ୍ଘାଟନ କରିବେ ନବୀନ

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହେଉଛି ଜାତୀୟ ଭିଜିଲାନ୍ସ ସଚେତନତା ସପ୍ତାହ । “ଏକ ଉନ୍ନତ ରାଷ୍ଟ୍ର ପାଇଁ ଦୁର୍ନୀତି ମୁକ୍ତ ଭାରତ ଗଠନ’ ଥୀମ୍ରେ ଓଡି଼ଶା ଦୁର୍ନୀତି ନିବାରଣ ନିର୍ଦ୍ଦେଶାଳୟ ସପ୍ତାହେ ବ୍ୟାପୀ ରାଜ୍ୟସ୍ତରୀୟ ସଚେତନତା କାର୍ୟ୍ୟକ୍ରମ ପାଇଁ ସଜବାଜ ହୋଇଛି । ଏଥର ଜିଲ୍ଲା ଓ ବ୍ଲକ ସ୍ତରରେ ସଚେତନ ବାର୍ତ୍ତା ବାଣ୍ଟିବାକୁ ନିର୍ଦ୍ଦେଶାଳୟ ସୂଚନା ଦେଇଛି ।
ଲୋକସେବା ଭବନର ସମ୍ମିଳନୀ କକ୍ଷରେ ସୋମବାର ପୂର୍ବାହ୍ନ ୧୧ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାର୍ୟ୍ୟକ୍ରମର ଉଦ୍ଘାଟନ କରିବେ । ଦୁର୍ନୀତି ମୁକ୍ତ ଭାରତ ଗଠନ ପାଇଁ ଭିଜିଲାନ୍ସ ଅଧିକାରୀମାନେ ଶପଥ ନେବେ । ଏଥିରେ ସ୍ୱୟଂ ସ୍ୱହାୟକ ଗୋଷ୍ଠୀର ପ୍ରାୟ ୭୦ ଲକ୍ଷ ସଦସ୍ୟା ଭିଡିଓ କନଫରେନ୍ସିଂରେ ଯୋଡ଼ି ହେବେ । ସବୁ ଜିଲ୍ଲାପାଳ ଓ ବ୍ଲକ ଅଫିସରମାନେ ମଧ୍ୟ ଯୋଗ ଦେବେ । ସର୍ବୋତ୍ତମ ଭିଜିଲାନ୍ସ ଡିଭିଜନ୍, ଭିଜିଲାନ୍ସ ୟୁନିଟ୍, ଅନୁସନ୍ଧାନକାରୀ ଅଧିକାରୀ, ମହିଳା ଅନୁସନ୍ଧାନ ଅଧିକାରୀ ଏବଂ ସରକାରୀ ଓକିଲଙ୍କୁ ପୁରସ୍କୃତ କରାଯିବ ।
ଭିଜିଲାନ୍ସ ପକ୍ଷରୁ କୁହାଯାଇଛି, ଆସନ୍ତା ନଭେମ୍ବର ୬ ତାରିଖ ଯାଏଁ ସପ୍ତାହେ ବ୍ୟାପୀ ସବୁ ଜିଲ୍ଲା ଏବଂ ବ୍ଲକ ସ୍ତରରେ ସାଧାରଣ ସଭାର ଆୟୋଜନ ହେବ । ଛାତ୍ର, ଯୁବକ, ଶିକ୍ଷାବିତ, ସେବା ଏବଂ ଅବସରପ୍ରାପ୍ତ ସରକାରୀ ଅଧିକାରୀ, ସ୍ୱୟଂ ସହାୟକ ଗୋଷ୍ଠୀ, ଏନଜିଓ ଏବଂ ନାଗରିକ ସମାଜର ସଦସ୍ୟମାନଙ୍କୁ ଦୁର୍ନୀତି ବିରୋଧରେ ସଚେତନା କରାଯିବ । ବିଦ୍ୟାଳୟ ଏବଂ କଲେଜରେ ବିତର୍କ, କୁଇଜ୍, କାର୍ଟୁନ୍, ଦୁର୍ନୀତି ନିବାରଣ ପ୍ରସଙ୍ଗ ଉପରେ ସ୍ଲୋଗାନ, ପେଣ୍ଟିଂ, ରଙ୍ଗୋଲି ଏବଂ ପୋଷ୍ଟର ଆଦି ପ୍ରତିଯୋଗିତା କରାଯିବ ।
Powered by Froala Editor