ଲକଡାଉନରେ ଘରେ ପହଁଚିବ ମଦ,ଡେଲିଭରୀ ଚାର୍ଜ ବାବଦରେ ଦେବାକୁ ପଡ଼ିବ ୧ ଶହ ଟଙ୍କା

ଭୁବନେଶ୍ୱର : ଲକଡାଉନରେ ଘରେ ପହଁଚିବ ମଦ । ଜୋମାଟୋ, ସ୍ୱିଗି ଭଳି ୧୭ଟି ସଂସ୍ଥା ଘରେ ମଦ ପହଁଚାଇବେ । ଦୋକାନୀମାନେ ବି ନିଜର ଡେଲିଭରି ବୟଙ୍କ ଜରିଆରେ ଘରେ ମଦ ଦେଇପାରିବେ । ଖୋର୍ଦ୍ଧା ଜିଲ୍ଲାରେ ଏଭଳି ବ୍ୟବସ୍ଥା କରାଯାଇଛି ।
ତେବେ ଘରେ ବସି ମଦ ପାଇବା ପାଇଁ ଅଧିକ ଟଙ୍କା ଦେବାକୁ ପଡ଼ିବ । ୧ ହଜାର ଟଙ୍କା ଭିତରେ ମଦ ମଗାଇଲେ ଡେଲିଭରୀ ଚାର୍ଜ ବାବଦରେ ୧ ଶହ ଟଙ୍କା ଦେବାକୁ ପଡ଼ିବ । ସେହିପରି ୧୦୦୧ରୁ ୧୫ ଶହ ଟଙ୍କା ପାଇଁ ୧୨୫ ଟଙ୍କା, ୧୫୦୦ରୁ ୨୦୦୦ ପାଇଁ ୧୫୦ ଟଙ୍କା ଡେଲିଭରି ଚାର୍ଜ ଦେବାକୁ ପଡ଼ିବ । ଅପରପକ୍ଷରେ ୨୦୦୧ରୁ ୨୫ ଶହ ଟଙ୍କା ନିମନ୍ତେ ୧୭୫ ଟଙ୍କା, ୨୫୦୧ରୁ ୩ ହଜାର ଟଙ୍କାର ମଦ ନିମନ୍ତେ ୨୦୦ ଟଙ୍କା ଚାର୍ଜ ଦେବାକୁ ପଡ଼ିବ । ଏହାଛଡ଼ା ୩୦୦୧ରୁ ୩୫୦୦ ପାଇଁ ୨୫୦, ୪ ହଜାର ଟଙ୍କା ନିମନ୍ତେ ୨୫୦ ଟଙ୍କା, ୪୫୦୦ ଟଙ୍କା ପାଇଁ ୨୭୫ ଟଙ୍କା ଓ ୫ ହଜାର ଟଙ୍କା ନିମନ୍ତେ ଅଧିକ ୩ ଶହ ଟଙ୍କା ଦେବାକୁ ପଡ଼ିବ ।
ଲକଡାଉନରେ ମଦର ହୋମ ଡେଲିଭରି ପାଇଁ ଅବକାରୀ ବିଭାଗ ଅନୁମତି ପ୍ରଦାନ କରିବା ପରେ ଖୋର୍ଦ୍ଧା ଜିଲ୍ଲାରେ ଆରମ୍ଭ ହେବାକୁ ଯାଉଛି । ଖୋର୍ଦ୍ଧା ଜିଲ୍ଲାପାଳ ଏ ହୋମ ଡେଲିଭରି ପାଇଁ ଅନୁମତି ପ୍ରଦାନ କରିଛନ୍ତି । ସୋମବାରଠାରୁ ଭୁବନେଶ୍ୱର ସହର ସମେତ ଖୋର୍ଦ୍ଧା ଜିଲ୍ଲାରେ ଲୋକ ହୋମ ଡେଲିଭରି ମାଧ୍ୟମରେ ମଦ ପାଇପାରିବେ । ଓଡ଼ିଶା ରାଜ୍ୟ ପାନୀୟ ନିଗମ (ଓଏସବିସି) ୱେବସାଇଟକୁ ଯାଇ ସେଠାରେ ଉପଲବ୍ଧ ହୋମ ଡେଲିଭରି ଅପନସକୁ କ୍ଲିକ କଲେ ମଦ ଦୋକାନର ନାଁ ଏବଂ ନମ୍ବର ଉପଲବ୍ଧ ରହିଛି । ସେହି ନମ୍ବରରେ ଫୋନ କରି ଅର୍ଡର କଲେ ଡେଲିଭରି ବଏ ଘରେ ନେଇ ମଦ ପହଞ୍ଚାଇପାରିବେ । ସୋମବାରଠାରୁ ଶୁକ୍ରବାର ପର୍ଯ୍ୟନ୍ତ ସକାଳ ୭ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ହୋମ ଡେଲିଭରି ହେବ ।
Powered by Froala Editor