କ୍ୟାବିନେଟ ମଞ୍ଜୁରୀ: ଏଣିକି ଲିଖିତ ପରୀକ୍ଷା ଦେବେ ଭେଟେନାରୀ ଡାକ୍ତର
ଭୁବନେଶ୍ୱର: ଓଡ଼ିଶା ପ୍ରଶାସନିକ ସେବା ଗ୍ରୁପ-ଏ(କନିଷ୍ଠ ବର୍ଗ)ରେ ୧୨୫ଟି ନୂଆ ପଦବୀ ସୃଷ୍ଟି ଓ ପାଣି ପଂଚାୟତର କାର୍ୟ୍ୟକାଳ ୩ବର୍ଷରୁ ୫ବର୍ଷକୁ ବୃଦ୍ଧି ସମେତ ମୋଟ ୬ଟି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଓଡ଼ିଶା ଭେଟେନାରୀ ସର୍ଭିସ ରୁଲସରେ ସଂଶୋଧନ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ମଞ୍ଜୁରୀ ଦେଇଛନ୍ତି । ଏହାଫଳରେ ଭେଟେନାରୀ ଡାକ୍ତରମାନେ ଏଣିକି ନିଯୁକ୍ତି ବେଳେ ଅନ୍ୟ ମେଡିକାଲ ଅଫିସର, ହୋମିଓପ୍ୟାଥିକ ଓ ଆୟୁର୍ବେଦିକ ମେଡିକାଲ ଅଫିସରଙ୍କ ଭଳି କେବଳ ଲିଖିତ ପରୀକ୍ଷା ଦେବେ । ଓପିଏସସି ଦ୍ୱାରା ଚୟନ ହେଉଥିବା ଆସିଷ୍ଟାଣ୍ଟ ଭେଟେନାରୀ ସର୍ଜନ ପଦବୀ ପରୀକ୍ଷାରେ ଭେଟେନାରୀ ଡାକ୍ତରମାନେ କେବଳ ଲିଖିତ ପରୀକ୍ଷା ଦେବେ ଓ ସେମାନଙ୍କୁ ଆଉ ମୌଖିକ ପରୀକ୍ଷା(ସାକ୍ଷାତକାର) ଦେବାକୁ ପଡ଼ିବ ନାହିଁ ।
ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି କ୍ରମେ ରାଜ୍ୟ କ୍ୟାବିନେଟ୍ ଜଷ୍ଟିସ ପି ଭେଙ୍କଟରାମ ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଗଠିତ ଦ୍ୱିତୀୟ ଜାତୀୟ ନ୍ୟାୟିକ ଦରମା କମିଶନ ସୁପାରିଶକୁ ଓଡ଼ିଶାରେ କାର୍ୟ୍ୟକାରୀ ନିମନ୍ତେ ଅନୁମୋଦନ କରିଛନ୍ତି । ଫଳରେ ଜିଲ୍ଲା ଓ ତଳସ୍ତରର ଜୁଡ଼ିଆସିଲ ଅଫିସରମାନେ ୨୦୧୬ ଜାନୁୟାରୀ ୧ରୁ ସଂଶୋଧିତ ଦରମା ପାଇବେ । ସରକାରୀ କର୍ମଚାରୀଙ୍କ ପାଇଁ ସପ୍ତମ ବେତନ କମିଶନ ଲାଗୁ ହେବା ପରେ ଜୁଡ଼ିସିଆଲ ଅଫିସରମାନଙ୍କ ନିମନ୍ତେ ଦ୍ୱିତୀୟ ଜାତୀୟ ନ୍ୟାୟିକ ଦରମା କମିଶନ ସୁପାରଶକୁ କାର୍ୟ୍ୟକାରୀ କରିବା ନିମନ୍ତେ ପୂର୍ବରୁ ସୁପ୍ରିମକୋର୍ଟ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ । ଜଷ୍ଟିସ ଭେଙ୍କଟରାମ ରେଡ୍ଡୀ କମିଶନଙ୍କ ସୁପାରିଶକୁ କାର୍ୟ୍ୟକାରୀ କରିବା ଦ୍ୱାରା ଜୁଡ଼ିସିଆଲ ଅଫିସରଙ୍କ ଦରମା ଆଦି ବାବଦରେ ରାଜ୍ୟ ସରକାରଙ୍କୁ ବାର୍ଷିକ ୯୩କୋଟି ଟଙ୍କାର ଅତିରିକ୍ତ ବୋଝ ମୁଣ୍ଡାଇବାକୁ ପଡ଼ିବ ।
Powered by Froala Editor