ହିମାଚଳପ୍ରଦେଶ ନିର୍ବାଚନ: ୬୨ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା

ନୂଆଦିଲ୍ଲୀ: ହିମାଚଳପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ୬୨ଟି ଆସନଲାଗି ପ୍ରାର୍ଥୀ ଘୋଷଣା କରିଛି ବିଜେପି। ହିମାଚଳ ପ୍ରଦେଶରେ ମୋଟ ୬୮ ଆସନରୁ ପ୍ରାୟ ସର୍ବାଧିକ ତଥା ୬୨ଟି ଆସନ ଲାଗି ବିଜେପି ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁରଙ୍କ ନାଁ ରହିଛି। ଜୟରାମ ଠାକୁର ନିଜ ବିଧାନସଭା ମଣ୍ଡଳୀ ସେରାଜରୁ ଲଢ଼ିବେ। ସେହିପରି ପୂର୍ବତନ କେନ୍ଦ୍ରମନ୍ତ୍ରୀ ସୁଖ ରାମଙ୍କ ପୁଅ ଅନିଲ ଶର୍ମା ମଣ୍ଡି ଆନରୁ ପ୍ରତିଦ୍ୱନ୍ଦିତା କରିବେ। ଏହି ତାଲିକାରେ ୫ ଜଣ ମହିଳାଙ୍କ ନାମ ରହିଛି। ସୋମବାର ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟିର ବୈଠକ ବସିଥିଲା। ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅନ୍ୟ ବରିଷ୍ଠ ନେତା ମାନେ ଉପସ୍ଥିତ ଥିଲେ। ବୈଠକରେ ବହୁ ବିଚାର ବିମର୍ଷ ପରେ଼ ପ୍ରାର୍ଥୀ ତାଲିକା ଉପରେ ମୋହର ବାଜିଥିଲା।
ଆସନ୍ତା ନଭେମ୍ବର ୧୨ ତାରିଖରେ ହିମାଚଳ ପ୍ରଦେଶ ବିଧାନସଭାର ୬୮ ଆସନ ପାଇଁ ଗୋଟିଏ ପର୍ୟ୍ୟାୟରେ ଭୋଟ୍ ଗ୍ରହଣ ହେବ। ଡିସେମ୍ବର ୮ରେ ଭୋଟ୍ ଗଣତି ହେବ। ଚଳିତ ଥର ହିମାଚଳ ବିଧାନସଭା ନିର୍ବାଚନ ପାଇଁ ୫୫ ଲକ୍ଷରୁ ଅଧିକ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ।
Powered by Froala Editor