ରବି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି

କେନ୍ଦ୍ର ସରକାର ମଙ୍ଗଳବାର ରବି ଫସଲ ଲାଗି ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ଘୋଷଣା କରିଛନ୍ତି। ଚାଷୀଙ୍କ ଲାଗି ଏହା ପ୍ରଧାନମନ୍ତ୍ରୀଙ୍କ ଦୀପାବଳି ଉପହାର ବୋଲି କୁହାଯାଉଛି। କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ଏନେଇ ମଙ୍ଗଳବାର କ୍ୟାବିନେଟ୍ ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଛନ୍ତି।
ନୂଆଦିଲ୍ଲୀରେ କେନ୍ଦ୍ର କ୍ୟାବିନେଟ ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ସିଂ ଠାକୁର କହିଛନ୍ତି ଯେ ସୋରିଷ ଉପରେ ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କ୍ୱିଣ୍ଟାଲ ପ୍ରତି ୪୦୦ ଟଙ୍କା ଥିବା ବେଳେ ଚଣା ଡାଲିରେ ଏହା କ୍ୱିଣ୍ଟାଲ ପ୍ରତି ୧୦୫ ଟଙ୍କା ବୃଦ୍ଧି ପାଇଛି। କୁସୁମ ଉପରେ କ୍ୱିଣ୍ଟାଲ ପିଛା ୨୦୯ ଟଙ୍କା ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରାଯାଇଛି। ମସୁର ଡାଲି ପାଇଁ କ୍ୱିଣ୍ଟାଲ ପିଛା ସର୍ବାଧିକ ୫୦୦ ଟଙ୍କା ବୃଦ୍ଧି କରାଯାଇଥିବା ବେଳେ ଗହମ କ୍ୱିଣ୍ଟାଲ ପିଛା ୧୧୦ ଟଙ୍କା ଏବଂ ବାର୍ଲି ୧୦୦ ଟଙ୍କା ବୃଦ୍ଧି କରାଯାଇଛି।
ଶ୍ରୀ ଠାକୁର କହିଛନ୍ତି ଯେ ଏହା ସହିତ ଗହମର ସର୍ବନିମ୍ନ ସହାୟକ ମୂଲ୍ୟ କ୍ୱିଣ୍ଟାଲ ପିଛା ୨୦୧୫ରୁ ୨୧୨୫ ଟଙ୍କା, ବାର୍ଲିର ସର୍ବନିମ୍ନ ସହାୟକ ମୂଲ୍ୟ ୧୬୩୫ରୁ ୧୭୩୫ ଟଙ୍କା, ଚଣା ୫୨୩୦ରୁ ୫୩୩୫ ଟଙ୍କା, ମସୁର ୫୫୦୦ରୁ ୬ ହଜାର ଟଙ୍କା, ସୋରିଷ ୫୦୫୦ରୁ ୫୪୫୦ ଟଙ୍କା ଏବଂ କୁସୁମ ୫୪୪୧ରୁ ୫୬୫୦ ଟଙ୍କାକୁ ବୃଦ୍ଧି ପାଇଛି।
ଉଲ୍ଲେଖଯୋଗ୍ୟ ଯେ ଏମଏସପି କମିଟି ୬ଟି ରବି ଫସଲ ନିମନ୍ତେ ୯ ପ୍ରତିଶତ ପର୍ଯ୍ୟନ୍ତ ଏମଏସପି ବୃଦ୍ଧି ଲାଗି ସୁପାରିଶ କରିଥିଲେ। ଏହା ବାଦେ କୃଷିମନ୍ତ୍ରାଳୟ ମଧ୍ୟ ଏହିସବୁ ଫସଲ ଉପରେ ନ୍ୟୁନତମ ସହାୟକ ମୂଲ୍ୟ ବୃଦ୍ଧି ଲାଗି ସୁପାରିଶ କରିଥିବା ବେଳେ କେନ୍ଦ୍ର କ୍ୟାବିନେଟ୍ ଏହା ଉପରେ ମୋହର ଲଗାଇଛନ୍ତି।
Powered by Froala Editor