ଭୀମକୁଣ୍ଡ ଗଙ୍ଗା ଘାଟରେ ଡଙ୍ଗା ବୁଡ଼ି ଶିକ୍ଷକ ମୃତ, ୪ ଜଣଙ୍କ ପତ୍ତା ମିଳୁନି
ଉତ୍ତରପ୍ରଦେଶ: ଡଙ୍ଗା ବୁଡ଼ି ଶିକ୍ଷକ ମୃତ । ଅନ୍ୟ ୪ ନିଖୋଜ । ଆଜି ଉତ୍ତରପ୍ରଦେଶ ମିରଟର ହସ୍ତିନାପୁର ଭୀମକୁଣ୍ଡ ଗଙ୍ଗା ଘାଟରେ ଏହି ଏକ ଦୁଃଖଦ ଘଟଣା ଘଟିଛି । ମୃତ ଶିକ୍ଷକଙ୍କ ନାମ ମହେନ୍ଦ୍ର ପାଲ୍ ବୋଲି ଜଣାପଡ଼ିଛି । ପୁଲିସ୍ ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି । ଏନ୍ଡିଆର୍ଏଫ୍, ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ପୁଲିସ୍ ନଦୀରେ ଖୋଜାଖୋଜି ଜାରି ରଖିଛନ୍ତି ।
ମଙ୍ଗଳବାର ସକାଳେ ଚାନ୍ଦପୁର ବିଜନୋର ପାର୍ଶ୍ୱରୁ ଏକ ଡଙ୍ଗାରେ ପାଖାପାଖି ୧୫ ଜଣ ନଦୀର ଅନ୍ୟ ପଟକୁ ଯାତ୍ରା କରୁଥିଲେ । ଏହି ସମୟରେ ନଦୀରେ ହଠାତ୍ ପ୍ରଖର ସ୍ରୋତ ହୋଇଥିଲା । ଫଳରେ ଡଙ୍ଗା ଚାଳକ ନିୟନ୍ତ୍ରଣ ହରାଇ ଥିଲେ । ଡଙ୍ଗାଟି ସେଠାରେ ଥିବା ଏକ ପୋଲ ଖୁଣ୍ଟରେ ପିଟି ହୋଇ ଯାଇଥିଲା । ଏହାପରେ ଓଲଟି ପଡ଼ିଥିଲା । ଡଙ୍ଗାରେ ଥିବା ୧୫ ଜଣଙ୍କ ମଧ୍ୟରୁ ୯ ଜଣ ବହୁ କଷ୍ଟରେ ପହଁରି ପହଁରୁ କୂଳକୁ ଆସିଥିଲେ । ଡଙ୍ଗା ଚାଳକ ବି ବର୍ତ୍ତି ଯାଇଥିଲେ । ହେଲେ ଶିକ୍ଷକଙ୍କ ସମେତ ଅନ୍ୟ ୫ ଜଣ ଭାସି ଯାଇଥିଲେ । ବହୁ ଖୋଜାଖୋଜି ପରେ ଶିକ୍ଷକଙ୍କ ମୃତଦେହ ମିଳିଥିଲା । ଅନ୍ୟ ୪ ଜଣଙ୍କ ଏବେ ବି ପତ୍ତା ମିଳୁନି । ସେପଟେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ କରିବାକୁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିର୍ଦ୍ଦେଶ ଦେଇଛନ୍ତି । ମୃତକଙ୍କ ପରିବାର ଲୋକଙ୍କୁ ପ୍ରଶାସନ ପକ୍ଷରୁ ତୁରନ୍ତ ସହାୟତା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।
Powered by Froala Editor