ମଇଦାନ ସରଗରମ: ଆଜିଠୁ ମଇଦାନକୁ ଓହ୍ଲାଇବେ ଷ୍ଟାର କ୍ୟାମ୍ପେନର
ଭଦ୍ରକ: ସରଗରମ ହେଉଛି ମଇଦାନ । କିଏ ଜିତିବ ବାଜି ଅପେକ୍ଷାରେ ଜନତା । ଆଜିଠୁ ଜୋରଦାର ହେବ ଧାମନଗର ଉପନିର୍ବାଚନ ପ୍ରଚାର । ମଇଦାନକୁ ଓହ୍ଲାଇବେ ବିଭିନ୍ନ ଦଳର ଷ୍ଟାର କ୍ୟାମ୍ପେନରଙ୍କ ସହ ଦଳର ବରିଷ୍ଠ ନେତା । ଦଳୀୟ ପ୍ରାର୍ଥୀଙ୍କ ପାଇଁ ମାଗିବେ ଭୋଟ୍ । ରୋଡ୍ ସୋ’ କରିବା ସହ ଘରକୁ ଘର ଯାଇ ପ୍ରଚାର କରିବେ । ପ୍ରାର୍ଥୀମାନେ ମଧ୍ୟ ସମର୍ଥକଙ୍କ ସହ ଯାଇ ନିଜ ପାଇଁ ଭୋଟ୍ ମାଗିବେ । ଏହା ସହ ବିଭିନ୍ନ ସ୍ଥାନରେ ସଭା ସମିତି ମାନ କରାଯିବ ।
ଏବେ ନିର୍ବାଚନ ମଇଦାନରେ ଅଛନ୍ତି ୫ ପ୍ରାର୍ଥୀ । ବିଜେପିରୁ ସୂର୍ଯ୍ୟବଂଶୀ ସୂରଜ, ବିଜେଡିରୁ ଅବନ୍ତୀ ଦାସ, କଂଗ୍ରେସରୁ ବାବା ହରେକୃଷ୍ଣ ସେଠୀ, ସ୍ୱାଧୀନ ଭାବେ ରାଜେନ୍ଦ୍ର ଦାସ ଓ ପବିତ୍ର ମୋହନ ଦାସ ରହିଛନ୍ତି । ରାଜେନ୍ଦ୍ର ଦାସଙ୍କୁ ନୌକା ଓ ପବିତ୍ର ମୋହନ ଦାସଙ୍କୁ ଶୀତତାପ ନିୟନ୍ତ୍ରଣ ଯନ୍ତ୍ର ଚିହ୍ନ ମିଳିଛି । ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବା ପରେ ଧାମନଗର ନିର୍ବାଚନ ତାତି ବଢିବାରେ ଲାଗିଛି ।
ଅନ୍ୟପଟେ ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢ଼ିବାକୁ ମନସ୍ଥ କରିଥିବା ରାଜେନ୍ଦ୍ରଙ୍କ ଷ୍ଟାର୍ ପ୍ରଚାରକ ତାଲିକା ରାଜନୈତିକ ମହଲ ଓ ଗଣମାଧ୍ୟମରେ ମୁଖ୍ୟ ଚର୍ଚ୍ଚାର ପ୍ରସଙ୍ଗ ହୋଇଥିଲା । ଅନ୍ୟ ପ୍ରମୁଖ ଦଳ ନିଜ ନିଜର ଷ୍ଟାର୍ ପ୍ରଚାରକ ତାଲିକା ଘୋଷଣା କରି ସାରିଥିବାବେଳେ ଧାମନଗର ମାଟିର ସମସ୍ତ ଭାଇଭଉଣୀ, କୃଷକ ଭାଇ, ଗରିବ ଖଟିଖିଆ, ଗୁରୁଜନ, ମାଆମାଉସୀ, ବାପାଭାଇ ଏବଂ ସର୍ବୋପରି ନିର୍ବାଚନମଣ୍ଡଳୀର ପ୍ରତ୍ୟେକଟି ଜନସାଧାରଣ ତାଙ୍କର ଷ୍ଟାର୍ ପ୍ରଚାରକ ବୋଲି ଭାବପ୍ରବଣ ହୋଇ କହିଛନ୍ତି ରାଜେନ୍ଦ୍ର ।
Powered by Froala Editor