ପଶ୍ଚିମବଙ୍ଗ ଚାଲାଣ କରିବାକୁ ହୋଇଥିଲା ଯୋଜନା, ୧୧୧ କଇଁଛ ଉଦ୍ଧାର କଲା ବନବିଭାଗ
ବାଲେଶ୍ବର ଜିଲ୍ଲା ଭୋଗରାଇର ଜଳସୋହରିଆରେ ଚଢ଼ାଉ କରି ବନ ବିଭାଗ ୧୧୧ଟି କଇଁଛ ଉଦ୍ଧାର କରିଛି। ଗ୍ରାମର ଗୌରାଙ୍ଗ ମଣ୍ଡଳ(୬୦)ଙ୍କ ଘରୁ ଏହି କଇଁଛ ଗୁଡ଼ିକ ଜବତ କରାଯାଇଛି। ଆଜି ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଜଳେଶ୍ୱର ବନବିଭାଗ ଚଢ଼ଉ କରିଥିଲା। ଏହି କଇଁଛଗୁଡ଼ିକୁ ଉଦ୍ଧାର କରିବା ପରେ ବନ ବିଭାଗ ନିଜ ହେପାଜତରେ ରଖିଛି। ଓଆର କେସ ନଂ୪୯।୨୨-୨୩ରେ ମାମଲା ରୁଜୁ ହୋଇଥିବା ଜଳେଶ୍ଵର ରେଞ୍ଜ ଅଧିକାରିଣୀ ଜୟଶ୍ରୀ ମୁର୍ମୁ ସୂଚନା ଦେଇଛନ୍ତି।
ସୂଚନା ଅନୁଯାୟୀ, ଶନିବାର ଜଣେ ବେପାରୀ ବସରେ କଇଁଛ ନେଉ ଥିବାବେଳେ ବନ ବିଭାଗ ହାବୁଡରେ ପଡିଥିଲେ। ତାଙ୍କ ଠାରୁ ସୁରାକ ପାଇ ରେଞ୍ଜ ଅଧିକାରିଣୀ ସଦଳବଳେ ରବିବାର ଜଳସୋହରିଆ ଗାଁର ଉକ୍ତ ବେପାରୀଙ୍କ ଘରେ ଚଢାଉ କରିଥିଲେ। ଚଢାଉରେ ଗୌରାଙ୍ଗଙ୍କ ଘରୁ ୧୧୧ଟି କଇଁଛ ଜବତ ହୋଇଥିଲା। କଇଁଛ ସବୁକୁ ସେ ଘର ଭିତରେ ଜାଲ ଘେରାଇ ରଖିଥିଲେ। କଇଁଛ ସବୁର ଓଜନ ୧କିଲୋରୁ ୫କିଲୋ ମଧ୍ଯରେ ହେବ। ଏହା ଇଣ୍ଡିଆନ ସଫ୍ଟ ସେଲ୍ଡ ପ୍ରଜାତିର। ସାଧାରଣତଃ ଉକ୍ତ କଇଁଛ ଏହି ଅଂଚଳରେ ବିରଳ ବୋଲି ରେଞ୍ଜ ଅଧିକାରିଣୀ କହନ୍ତି।
ଅଭିଯୁକ୍ତ ଜଣକ କଇଁଛଗୁଡ଼ିକୁ ପଶ୍ଚିମବଙ୍ଗକୁ ଚୋରାଚାଲାଣ କରୁଥିଲା। ଏହି ଘଟଣାରେ ପୁଲିସ ଗୌରାଙ୍ଗଙ୍କୁ ଗିରଫ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ସେ ଆଗରୁ ମଧ୍ୟ ଏଭଳି କଇଁଛ ଚୋରାଚାଲାଣରେ ସମ୍ପୃକ୍ତ ଥିବା ସନ୍ଦେହ କରାଯାଉଛି। କଇଁଛଗୁଡ଼ିକ କାହିଁକି ଓ କେଉଁମାଧ୍ୟମରେ ଚୋରାଚାଲାଣ କରାଯାଉଥିଲା ତାହା ଜାଣିବାକୁ ଗୌରଙ୍ଗକୁ ପୁଲିସ ପଚରାଉଚରା କରିଛି।
Powered by Froala Editor