ଅଲ୍ ଇଣ୍ଡିଆ କଂଗ୍ରେସ କମିଟି ସଭାପତି ପ୍ରାର୍ଥୀ ମଲ୍ଲିକାର୍ଜୁନ ଖଡ୍ଗେ ଓଡ଼ିଶା ଆସିବେ ଆଜି
ଭୁବନେଶ୍ୱର: ଅଲ୍ ଇଣ୍ଡିଆ କଂଗ୍ରେସ କମିଟି (ଏଆଇସିସି) ସଭାପତି ପ୍ରାର୍ଥୀ ମଲ୍ଲିକାର୍ଜୁନ ଖଡ୍ଗେ ଶୁକ୍ରବାର ୧୧ଟା ୩୦ରେ ଓଡ଼ିଶାରେ ପହଞ୍ଚିବେ । ଶ୍ରୀ ଖଡ୍ଗେ ଗସ୍ତ କାଳରେ ଏଆଇସିସି ସଭାପତି ନିର୍ବାଚନ ପାଇଁ ନିଜ ସପକ୍ଷରେ ଭୋଟ୍ ମାଗିବେ । ବିମାନବନ୍ଦରରୁ ଆସି ଶ୍ରୀ ଖଡ୍ଗେ କଂଗ୍ରେସ ଭବନରେ ପହଞ୍ଚିବେ । ସେଠାରେ ଓଡ଼ିଶା ପ୍ରଭାରୀ ଡ. ଏ ଚେଲାକୁମାର, ପିସିସି ସଭାପତି ଶରତ ପଟ୍ଟନାୟକ, ପୂର୍ବତନ ସଭାପତି ଜୟଦେବ ଜେନା, ନିରଞ୍ଜନ ପଟ୍ଟନାୟକ, ପ୍ରସାଦ ହରିଚନ୍ଦନଙ୍କ ସମେତ ଅନ୍ୟ ସମସ୍ତ ବରିଷ୍ଠ କଂଗ୍ରେସ ନେତା ଉପସ୍ଥିତ ରହିବେ ।
ଓଡ଼ିଶାରେ ୪୧୮ଜଣ ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ ତଥା ଏଆଇସିସିର ବିଭିନ୍ନ ପଦବିରେ ଥିବା ନେତାମାନେ ଭୋଟ ଦେଇପାରିବେ । ଭୋଟ୍ ଦେବାକୁ ଯୋଗ୍ୟ ନେତାଙ୍କୁ ଭେଟିବେ ଶ୍ରୀ ଖଡ୍ଗେ । ଏଆଇସିସି ସଭାପତି ନିର୍ବାଚନରେ ସମର୍ଥନ ପାଇଁ ସମସ୍ତଙ୍କୁ ନିବେଦନ କରିବେ। ଶୁକ୍ରବାର ଅପରାହ୍ଣରେ ଶ୍ରୀ ଖଡ୍ଗେ ନୂଆଦିଲ୍ଲୀ ଫେରିଯିବାର କାର୍ୟ୍ୟକ୍ରମ ରହିଛି ।
ଉଲ୍ଲେଖଯୋଗ୍ୟ, ଏଆଇସିସି ସଭାପତି ପ୍ରାର୍ଥୀ ପାଇଁ ଆସନ୍ତା ୧୭ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ । ୧୯ରେ ଫଳ ଘୋଷଣା ହେବ । ଏଆଇସିସି ସଭାପତି ପାଇଁ ଶ୍ରୀ ଖଡଗେଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ବରିଷ୍ଠ କଂଗ୍ରେସ ନେତା ଶଶି ଥରୁର୍ ।
Powered by Froala Editor