ଆଜି ମୁଖ୍ୟମନ୍ତ୍ରୀ ଲୋକାର୍ପଣ କରିବେ ହବିଷ୍ୟାଳି ଶିବିର

ପୁରୀ: କାର୍ତ୍ତିକ ମାସର ପ୍ରଥମ ଦିନ ମଙ୍ଗଳବାର ଭୋରରେ ବଡ଼ଦେଉଳ ଦ୍ୱାର ଫିଟା ନୀତି ବଢ଼ିବା ପରେ ଶ୍ରୀମନ୍ଦିରରେ କାର୍ତ୍ତିକ ବ୍ରତଧାରୀଙ୍କ ଭିଡ଼ ଲାଗିବ । ସହରରେ ହବିଷ୍ୟାଳିଙ୍କ ପାଇଁ ଖୋଲିଥିବା ଶିବିରରେ ନୂତନ ଉତ୍ସାହ ଦେଖାଦେଇଛି । କାରଣ ଦୁଇ ବର୍ଷର ବ୍ୟବଧାନରେ ଚଳିତ ବର୍ଷ ପୁରୀରେ ସରକାରଙ୍କ ହବିଷ୍ୟାଳି ସେବା ଆଉ କିଛି ଘଣ୍ଟା ପରେ ଆରମ୍ଭ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ସନ୍ଧ୍ୟା ସାଢ଼େ ୬ରେ ହବିଷ୍ୟାଳି ଶିବିରର ଲୋକାର୍ପଣ କରିବେ ।
ବ୍ରତଧାରୀଙ୍କ ସୁରକ୍ଷା ନିମନ୍ତେ ଅଗ୍ନିଶମ ବିଭାଗ ତୀର୍ଥ ପୁଷ୍କରିଣୀଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥା କରିଛି । ମଙ୍ଗଳ ଆଳତି ଓ ମହାପ୍ରଭୁଙ୍କ ରାଧାମାଧବ ବେଶ ଦର୍ଶନ ସାରି ଶିବିରକୁ ଫେରିବେ । ବ୍ରତଧାରୀଙ୍କ ନଜର ଅଟକି ରହିଛି ପ୍ରଭୁଙ୍କ ମହାପ୍ରସାଦ କଣିକାଏ ଉପରେ । ଶିବିରରୁ ପ୍ରସ୍ଥାନ ଓ ପ୍ରବେଶ ବେଳେ ହବିଷ୍ୟାଳିଙ୍କ ରେକର୍ଡ ରଖାଯିବାର ବ୍ୟବସ୍ଥା ହୋଇଛି । ୫ଟି ଯାକ ଶିବିରରେ ବାହାର ଲୋକଙ୍କ ଅନୁପ୍ରବେଶ ଉପରେ ନଜର ରଖିବାକୁ ପ୍ରବେଶ ପଥରେ ସିସିଟିଭି ସ୍ଥାପନ ହୋଇଛି । ଏହା ବ୍ୟତୀତ ଶିବିର ପାଖରେ ଆଶୁ ଚିକିତ୍ସା କେନ୍ଦ୍ର ମଧ୍ୟ ଖୋଲା ଯାଇଛି । ଜ୍ୱର, କାଶ ଭଳି ମାମୁଲି ରୋଗ ପାଇଁ ଏହି ଶିବିରରେ ହବିଷ୍ୟାଳିଙ୍କୁ ଚିକିତ୍ସା ସେବା ମିଳବ ବୋଲି ନରେନ୍ଦ୍ରକୋଣ ଶିବିର ତତ୍ତ୍ୱାବଧାରକ ଅଫିସର କହିଛନ୍ତି ।
ସୂଚନାଯୋଗ୍ୟ, ରବିବାର ସୁଦ୍ଧା ୨୯୩୫ ହବିଷ୍ୟାଳି ପହଞ୍ଚି ସାରିଛନ୍ତି । ପ୍ରତିଦିନ ହବିଷ୍ୟାଳିଙ୍କ ପାଇଁ ଅନ୍ନ, ଡାଲି, ବେସର, ଖଟା ଆଦି ମହାପ୍ରସାଦ ଶିବିରରେ ମାଗଣା ଦେବାକୁ ବ୍ୟବସ୍ଥା ହୋଇଛି।
Powered by Froala Editor