ବର୍ଷକ ମଧ୍ୟରେ ବି ନିଆଯାଇପାରିବ ଦ୍ୱିତୀୟ ଡୋଜ
ଭୁବନେଶ୍ୱର : କୋଭିଡ ଟିକାର ଦ୍ୱିତୀୟ ଡୋଜ କେବେ ନିଆଯାଇପାରିବ ? ପ୍ରଥମ ଟିକା ଓ ଦ୍ୱିତୀୟ ଟିକା ମଧ୍ୟରେ କେତେ ବ୍ୟବଧାନ ରହିବ ? ପ୍ରଥମେ ବିଶେଷଜ୍ଞମାନେ ୪ ସପ୍ତାହ ବୋଲି କହୁଥିବାବେଳେ ପରେ ଏହାକୁ ୬ ସପ୍ତାହ ବୋଲି କହିଥିଲେ । କିନ୍ତୁ ନିକଟରେ ୧୦ରୁ ୧୨ ସପ୍ତାହ ବୋଲି ବିଶେଷଜ୍ଞମାନେ ମତପ୍ରକାଶ କରିଛନ୍ତି । ଯାହାକୁ ନେଇ ସାଧାରଣରେ ଦ୍ୱନ୍ଦ୍ୱ ସୃଷ୍ଟିହେବା ସ୍ୱାଭାବିକ । ଏହାକୁ ନେଇ ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମରେ ବି ଜୋରଦାର ଚର୍ଚ୍ଚା ହେଉଛି ।
ଏଭଳି ଚର୍ଚ୍ଚା ଚାଲିଥିବାବେଳେ ମାଇକ୍ରୋ ବାଇଓଲୋଜିଷ୍ଟ ଡାକ୍ତର ଟି ଜାକବ କହିଛନ୍ତିଯେ, ଟିକାରେ ବ୍ୟବଧାନ ଅଧିକ ରହିଲେ ତାହା କାମ ଦେବନାହିଁ ବୋଲି ଯେଉଁମାନେ ମନେ କରୁଛନ୍ତି ତାହା ସମ୍ପୂର୍ଣ୍ଣ ଭୁଲ । ପ୍ରଥମ ଡୋଜ ମଧ୍ୟ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ସହ କରୋନା ମୁକାବିଲାର କ୍ଷମତା ରଖିଛି । ପ୍ରଥମ ଡୋଜରୁ ଦ୍ୱିତୀୟ ଡୋଜ ମଧ୍ୟରେ କେତେ ସପ୍ତାହ ବ୍ୟବଧାନ ରହିଲେ ଟିକା କାମ କରିବ ସେନେଇ ଠୋସ ଭାବେ କୌଣସି ଅଧ୍ୟୟନ କରାଯାଇନାହିଁ । ତେବେ ୪ ସପ୍ତାହରେ ଟିକା ନେବା ଭଲ ବୋଲି ସେ କହିଛନ୍ତି । କିନ୍ତୁ ଦେଶରେ ଯଦି ପର୍ଯ୍ୟାପ୍ତ ଟିକା ଉପଲବ୍ଧ ନାହିଁ ସେକ୍ଷେତ୍ରରେ ସମସ୍ତେ ଯେଭଳି ପ୍ରଥମ ଡୋଜ ଟିକା ପାଇପାରିବେ ତାହା ଉପରେ ଗୁରୁତ୍ୱ ଦିଆଯିବା ଦରକାର । ଏମିତିକି ବର୍ଷକ ମଧ୍ୟରେ ବି ଦ୍ୱିତୀୟ ଡୋଜ ଟିକା ନିଆଯାଇପାରିବ ବୋଲି ସେ ପ୍ରକାଶ କରିଛନ୍ତି ।
Powered by Froala Editor