ମଣିଷଖିଆ ବାଘକୁ ଗୁଳି ମରାଗଲା

୬ମାସରେ ୯ଜଣ ଲୋକଙ୍କୁ ଶିକାର କରିଥିବା ମଣିଷଖିଆ ବାଘକୁ ଗୁଳି ମରାଯାଇଛି। ବିହାରର ପଶ୍ଚିମ ଚମ୍ପାରଣ ଜିଲ୍ଲା ବଗାହରେ ଆତଙ୍କ ଖେଳାଉଥିବା ବାଘକୁ ଆଜି ଗୁଳି କରି ହତ୍ୟା କରାଯାଇଛି। ଜାତୀୟ ବାଘ ସଂରକ୍ଷଣ ପ୍ରାଧିକରଣ (NTCA) ବାଘକୁ ଗୁଳି କରି ହତ୍ୟା କରିବାକୁ ଅନୁମତି ଦେବା ପରେ ବାଘ ଶିକାର କରାଯାଇଛି। କାରଣ ବାଘଟି ଉକ୍ତ ଅଞ୍ଚଳରେ ଭୟଙ୍କର ଭାବେ ଉତ୍ପାତ କରୁଥିଲା।
ବିହାର ଅନ୍ତର୍ଗତ ‘ବାଲ୍ମିକୀ ବ୍ୟାଘ୍ର ସଂରକ୍ଷଣ’ ଆଖପାଖରେ ଥିବା ଗାଁରୁ ଶୁକ୍ରବାର ସୁଦ୍ଧା ୯ ଲୋକଙ୍କୁ ମାରିଖାଇଥିଲା ଏହି ମହାବଳ ବାଘ। ବାଘଟି ୧୦ଜଣଙ୍କ ଉପରେ ଆକ୍ରମଣ କରିଥିବା ବେଳେ ୯ଜଣଙ୍କ ମୃତ୍ୟୁ ହୋଇଥିଲା। ତେଣୁ ହତ୍ୟା କରିବା ଲାଗି ବିହାର ସରକାର ଆଦେଶ ଜାରି କରିଥିଲେ। ପ୍ରାୟ ୨୫ଦିନ ହେଲା ଟ୍ରାକ କରିବାକୁ ଚେଷ୍ଟା କରାଯାଉଥିବା ବେଳେ ଆଜି ତାକୁ ଗୁଳି ମରାଯାଇଛି।
ବାଘର ଆକ୍ରମଣରେ ଜଣେ ମହିଳା ଓ ତାଙ୍କ ୧୦ ବର୍ଷର ପୁଅର ମୃତ୍ୟୁ ହୋଇଥିଲା। ବାଘର ଆକ୍ରମଣରେ ମାଆପୁଅର ମୃତ୍ୟୁ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିଲା। ଲୋକ ଥାନାରେ ପଶି ପୁଲିସ ଅଫିସରଙ୍କୁ ମାଡ଼ ମାରିଥିଲେ। ତେବେ ବାଘ ଆକ୍ରମଣରୁ ରକ୍ଷା କରିବା ପାଇଁ ଜାଲ ମଧ୍ୟ ଲଗାଯାଇଥିଲା। ସବୁ ପରେ ବି ବାଘର ଉତ୍ପାତ ଏତେ ବଢିଯାଇଥିଲେ ଲୋକେ ଅତିଷ୍ଟ ହୋଇ ପୁଲିସ ଉପରକୁ ଆକ୍ରମଣ କରିଥିଲେ।
‘ଡିଏଫଓ’ କହିଛନ୍ତି, ଗତ ତିନି ଦିନ ହେଲା ଉକ୍ତ ବାଘଟି ୪ଜଣ ଲୋକଙ୍କୁ ମାରିଛି। ଶୁକ୍ରବାର ସକାଳେ ‘ବାଲ୍ମିକୀ ବ୍ୟାଘ୍ର ସଂରକ୍ଷଣ’ ଅନ୍ତର୍ଗତ ରାଙ୍ଘିୟା ଫରେଷ୍ଟ୍ ରେଞ୍ଜ୍ ଅଞ୍ଚଳର ସିଙ୍ଘାଇ ପଞ୍ଚାୟତର ଡୁମାରି ଗାଁର ଜଣେ ୩୪ ବର୍ଷିୟ ବ୍ୟକ୍ତି ସଞ୍ଜୟ ମହାତୋଙ୍କୁ ବାଘ ମାରିଦେବା ପରେ ଗୁଳି ମାରିବା ଆଦେଶ ଜାରି କରାଯାଇଥିଲା। ଶେଷରେ ବାଘକକୁ ଗୁଳି ହତ୍ୟା କରାଯାଇଛି।
Powered by Froala Editor