ଗରବା ନାଚରେ ଟଳିପଡ଼ିଲେ ପୁଅ, ମୃତ୍ୟୁ ଖବର ଶୁଣି ବାପା ବି ଚାଲିଗଲେ

ଶାରଦୀୟ ଦୁର୍ଗା ପୂଜା ଉପଲକ୍ଷେ ଆୟୋଜିତ ଗରବା ନାଚ ସମୟରେ ଜଣେ ୩୫ ବର୍ଷୀୟ ଯୁବକଙ୍କ ମୃତ୍ୟୁ ହୋଇଯାଇଥିଲା । ପରେ ତାଙ୍କ ବାପାଙ୍କ ପ୍ରାଣହାନୀ ଘଟିବା ପରି ହୃଦୟ ବିଦାରକ ଘଟଣା ମହାରାଷ୍ଟ୍ରର ପାଲଘରରେ ଘଟିଛି। ପାଲଘରର ଭିରାରରେ ଗରବା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି ସମୟରେ ମନୀଷ ନରପଜୀ ନାଚିବା ସମୟରେ ଖସି ପଡିଥିଲେ। ତୁରନ୍ତ ତାଙ୍କୁ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲେ ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଅର ମୃତ୍ୟୁ ଖବର ଶୁଣିବା ମାତ୍ରେ ବାପାଙ୍କ ମଧ୍ୟ ପ୍ରାଣବାୟୁ ଉଡି ଯାଇଛି।
ବିରାର ପୋଲିସର ଜଣେ ଅଧିକାରୀ କହିଛନ୍ତି, ମନୀଷ ନରପଜୀ ସୋନିଗ୍ରା ଶନିବାର-ରବିବାର ରାତିରେ ବିରାରରେ ଗ୍ଲୋବାଲ ସିଟି କମ୍ପ୍ଲେକ୍ସରେ ଗରବା କାର୍ଯ୍ୟକ୍ରମରେ ନାଚିବା ସମୟରେ ତଳେ ପଡ଼ିଯାଇଥିଲେ । ଏହାପରେ ଯୁବକଙ୍କ ବାପା ନରପଜୀ ସୋନିଗ୍ରା ହସ୍ପିଟାଲ ନେଇଯାଇଥିଲେ । ସେଠାରେ ଯୁବକଙ୍କୁ ମୃତ୍ୟୁ ଘୋଷଣା କରାଯାଇଥିଲା । ତେବେ ପୁଅର ମୃତ୍ୟୁ ଖବର ଶୁଣି ବାପା ମଧ୍ୟ ତଳେ ପଡିଯାଇଥିଲେ ଏବଂ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଛି । ବିଶେଷଜ୍ଞଙ୍କ କହିବା ଅନୁଯାୟୀ ହାର୍ଟ ଆଟାକ କାରଣରୁ ଏହି ମୃତ୍ୟୁ ହୋଇଥିବାର ଆଶଙ୍କା କରାଯାଉଛି ।
ଏହା ପୂର୍ବରୁ ମଧ୍ୟ ଗୁଜୁରାଟରେ ଜଣେ ୨୧ ବର୍ଷୀୟ ଯୁବକ ବୀରେନ୍ଦ୍ର ସିଂହଙ୍କ ଗରବା ଖେଳୁଥିବା ସମୟରେ ହୃଦଘାତରେ ମୃତ୍ୟୁ ଘଟିଥିଲା।
Powered by Froala Editor