ପ୍ରବଳ ବର୍ଷା ସମ୍ଭାବନା, ଏଥର ଫିକା ପଡ଼ିପାରେ ଦୁର୍ଗା ପୂଜା

ଭୁବନେଶ୍ୱର: ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତାକାଲିଠୁ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ଥିବାରୁ ଏଥର ଫିକା ପଡ଼ିପାରେ ଦୁର୍ଗା ପୂଜା।ଷଷ୍ଠୀରୁ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି।
ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ଆସନ୍ତାକାଲି ଅର୍ଥାତ ଶନିବାର ଉତ୍ତର ଉପକୂଳ ଓଡ଼ିଶାରେ କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ରବିବାର ମଧ୍ୟ ଉପକୂଳ ଓଡ଼ିଶାରେ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ହେଲେ ସୋମବାର ପୁରା ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ। ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର କେନ୍ଦୁଝର ଓ ମୟୂରଭଞ୍ଜ ସମେତ ଢେଙ୍କାନାଳ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଉପକୂଳ ଓଡ଼ିଶାର ୧୧ ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।ପହିଲାରେ ଉତ୍ତର-ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳକୁ ଏକ ଘୁର୍ଣ୍ଣିବଳୟ ପ୍ରବେଶ କରିବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଏହି ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି।
Powered by Froala Editor