୮୨ ବର୍ଷରେ ଦରୱାନଙ୍କୁ ମିଳିଲା ତାଙ୍କ ପ୍ରଥମ ପ୍ରେମ

ପ୍ରଥମ ପ୍ରେମ । ଯାହାକୁ କେହି କେବେ ଭୁଲିପାରେନାହିଁ । ହେଲେ ଜୀବନ ଯଞ୍ଜାଳ ଭିତରେ ସବୁ ପଛରେ ପକାଇ ସମସ୍ତେ ଆଗେଇ ଚାଲନ୍ତି । ତେବେ ଭାବନ୍ତୁତ ! ଯଦି ଆପଣଙ୍କୁ ୫୦ ବର୍ଷ ପରେ ପ୍ରଥମ ପ୍ରେମ ମିଳିଯାଏ ତାହେଲେ କେମିତି ଲାଗିବ । ଏମିତି ଘଟିଛି ରାଜସ୍ଥାନ ଜୈସାଲମୈରସ୍ଥିତ କୁଲଧାରା ଗ୍ରାମର ଚୌକିଦାର ଦରଓ୍ବାନ ସିଂଙ୍କ କ୍ଷେତ୍ରରେ। ୫୦ ବର୍ଷ ପରେ ଦରଓ୍ବାନଙ୍କୁ ମିଳିଯାଇଛି ତାଙ୍କର ପ୍ରଥମ ପ୍ରେମ । ଏବେ ତାହା ସୋସିଆଲ ମିଡିଆରେ ଭାଇରାଲ ଲଭ୍ ଷ୍ଟୋରି ପାଲଟିଛି।
୮୨ ବର୍ଷୀୟ ଦରଓ୍ବାନ ସିଂଙ୍କୁ ୩୦ ବର୍ଷ ହୋଇଥିବାବେଳେ ଅଷ୍ଟ୍ରେଲିଆରୁ ମାରିନା ନାମକ ଯୁବତୀ ଜୈସାଲମୈରକୁ ଆସିଥିଲେ। ପ୍ରଥମ ଦେଖାରେ ହିଁ ଉଭୟେ ପ୍ରେମରେ ପଡ଼ିଥିଲେ। ଫେରିଯିବା ପୂର୍ବରୁ ମାରିନା ନିଜ ମନ କଥା ତାଙ୍କୁ କହିଦେଇଥିଲେ। କିଛି ଦିନର ଚିଠି ଦିଆନିଆ ପରେ ୩୦ ହଜାର ଟଙ୍କା ଲୋନ୍ ନେଇ ଅଷ୍ଟ୍ରେଲିଆରେ ମାରିନାଙ୍କ ପାଖରେ ପହଞ୍ଚିଯାଇଥିଲେ ଦରଓ୍ବାନ। ସେଠାରେ ୩ ମାସର ରହଣି ମଧ୍ୟରେ ମାରିନା ଦେଇଥିଲେ ବିବାହ ପ୍ରସ୍ତାବ। କିନ୍ତୁ ଘର ପରିବାର ଛାଡ଼ି ଅଷ୍ଟ୍ରେଲିଆରେ ବାସ କରିବା ଦରଓ୍ବାନଙ୍କ ପକ୍ଷରେ ସହଜ ହୋଇ ନଥିଲା। ଫଳରେ ସେଠାରୁ ଫେରି ଦରଓ୍ବାନ ବିବାହ କରିଥିଲେ। ତାଙ୍କର ୨ ପୁଅ ଥିବାବେଳେ ଦୁଇ ବର୍ଷ ପୂର୍ବେ ସ୍ତ୍ରୀଙ୍କ ମୃତ୍ୟୁ ଘଟିସାରିଛି। ହେଲେ ୮୨ ବର୍ଷ ବୟସରେ ବି ଜୀବନ ଆଶ୍ଚର୍ଯ୍ୟ କଲା ଭଳି ଉପହାର ଦେବ ସେ କଥା ସେ ଭାବି ନ ଥିଲେ। କିଛି ଦିନ ତଳେ ହଠାତ୍ ମାରିନାଙ୍କ ଏକ ଚିଠି ଦରଓ୍ବାନଙ୍କ ନିକଟରେ ପହଞ୍ଚିଥିଲା । ମାରିନା ଅବିବାହିତ ଥିବା ସେ ଜାଣିବାକୁ ପାଇଥିଲେ। ଏହା ପରଠାରୁ ଉଭୟ ଫୋନରେ କଥାବାର୍ତ୍ତା ଆରମ୍ଭ କରିଛନ୍ତି । ଖୁବ୍ଶୀଘ୍ର ମାରିନା ଭାରତ ଆସୁଛନ୍ତି ବୋଲି ଜାଣିବା ପରେ ସେ ନିଜକୁ ଜଣେ ୨୧ ବର୍ଷୀୟ ଯୁବକ ବୋଲି ମନେ କରୁଥିବା ଦରଓ୍ବାନ କହିଛନ୍ତି। ତାଙ୍କ ପ୍ରେମ କାହାଣୀ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।