ଫିକା ପଡ଼ିବ ପୂଜା ମଉଜ, ପୂଜା ଆରମ୍ଭରୁ ପ୍ରବଳ ବର୍ଷା
ଭୁବନେଶ୍ୱର: ଗତ ୨ ବର୍ଷ ପରି ଏଥର ବି ଫିକା ପଡ଼ିପାରେ ପୂଜା ମଉଜ । ଦୁର୍ଗାପୂଜା ଆରମ୍ଭରୁ ହିଁ ପ୍ରବଳ ବର୍ଷାର ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଫଳରେ ଧୁମଧାମରେ ପୂଜା ପାଳନ ନେଇ ହୋଇଥିବା ଯୋଜନା ପାଣି ଫୋଟକା ପରି ମିଳାଇଯିବା ଆଶଙ୍କା ସୃଷ୍ଟି ହେଲାଣି।
ଭୁବନେଶ୍ୱରସ୍ଥିତ ପାଣିପାଗ କେନ୍ଦ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଅକ୍ଟୋବର ପହିଲାରେ ଉତ୍ତର-ପୂର୍ବ ଓ ତତ୍ସଂଲଗ୍ନ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ପ୍ରବେଶ କରିବାର ସମ୍ଭାବନା ରହିଛି । ଯାହା ଫଳରେ ୧ ତାରିଖରୁ ଉପକୂଳ ଓଡିଶାରେ ବର୍ଷା ହୋଇପାରେ। ପରେ ୨ ଏବଂ ୩ ତାରିଖରେ ଉପକୂଳ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ବଢିବା ନେଇ ଆକଳନ କରାଯାଇଛି । ତେବେ ଘୂର୍ଣ୍ଣିବଳୟଟି ଲଘୁଚାପ ରୂପ ନେବ କି ନାହିଁ ତାହା ସ୍ପଷ୍ଟ ହୋଇନି ।
ଭୁବନେଶ୍ୱରସ୍ଥିତ ପାଣିପାଗ କେନ୍ଦ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଆଗାମୀ ୩ ଦିନ ଯାଏ କିଛି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ । ଏହା ପୂର୍ବରୁ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଉତ୍ତର-ପଶ୍ଚିମ ଓ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ଜାରି ରହିଛି । ୨୮ ଏବଂ ୨୯ ତାରିଖରେ ଉପକୂଳ ସମେତ ୨୦ ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ଚେତାବନୀ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।
Powered by Froala Editor