ଉତ୍ତରପ୍ରଦେଶର ନୋଏଡାରେ ଭୁଶୁଡ଼ିଲା ନିର୍ମାଣାଧୀନ ପାଚେରି, ୪ ଶ୍ରମିକ ମୃତ
ନୋଏଡା: ଉତ୍ତରପ୍ରଦେଶ ନୋଏଡାର ସେକ୍ଟର-୨୧ରେ ଆଜି ଏକ ଦୁଃଖଦ ଘଟଣା ଘଟିଛି । ନିର୍ମାଣାଧୀନ ପାଚେରି ଭୁଶୁଡ଼ି ୪ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଏହି ଅଘଟଣରେ ୫/୬ ଜଣ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଆହତଙ୍କ ମଧ୍ୟରୁ କିଛି ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଛି । ତେଣୁ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ରହିଛି । ସେପଟେ ଏହି ଘଟଣା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡ଼ିଛି ।
ସେକ୍ଟର-୨୧ରେ ଥିବା ଏକ ପାଚେରି କଡ଼ରେ ଥିବା ନାଳ ସଫା କାମ ଚାଲିଥିଲା । ଶ୍ରମିକମାନେ ତଳେ କାମ କରୁଥିବା ବେଳେ ଅଚାନକ ପାଚେରିଟି ଭୁଶୁଡି ପଡିଥିଲା । ଫଳରେ କିଛି ଶ୍ରମିକ ପାଚେରି ତଳେ ଚାପି ହୋଇ ରହି ଯାଇଥିଲେ । ଖବରପାଇ ଜିଲ୍ଲା ପ୍ରଶାସନ ପକ୍ଷରୁ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥିଲା । ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ୩ଟି ଜେସିବିକୁ ନିୟୋଜିତ କରାଯାଇଥିଲା । କିନ୍ତୁ ସେତେବେଳକୁ ୪ଜଣଙ୍କ ମୃତ୍ୟୁ ହୋଇସାରିଥିଲା । ଗୁରୁତର ଥିବା ୫ରୁ ୬ଜଣଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।
ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବରିଷ୍ଠ ଅଧିକାରୀଙ୍କୁ ଘଟଣାସ୍ଥଳକୁ ଯିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହିତ ମୃତାହତଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି ।
ସ୍ଥାନୀୟ ପ୍ରଶାସନ ଓ ପୁଲିସ୍ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟର ତଦାରଖ କରୁଛନ୍ତି । କିପରି ଓ କେଉଁ ପରିସ୍ଥିତିରେ ଏଭଳି ଅଘଟଣ ଘଟିଲା ତାହାର ତଦନ୍ତ ଚାଲିଛି । ରିପୋର୍ଟ ମିଳିବା ପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି ।
Powered by Froala Editor