ମାଫିଆଙ୍କ ନଜରରେ ଏବେ କେନ୍ଦୁ କାଠ

କେନ୍ଦୁଝର ଜିଲ୍ଲାର ଘଞ୍ଚ ଜଙ୍ଗଲରେ କାଠ ଚୋରି ନୂଆ କଥା ନୁହେଁ । କିଛି ମାସ ହେବ କାଠ ଚାଲାଣବେଳେ ଚଢ଼ଉ କରାଯାଉଥିବାରୁ ଚାଲାଣରେ ରୋକ ଲାଗିଥିଲା । ହେଲେ ପୁଣି ଥରେ ମାଫିଆ କାଠ ଚାଲାଣ କରିଚାଲିଛନ୍ତି । କିନ୍ତୁ ଏବେ ଶାଗୁଆନ କି ଶାଳ ନୁହେଁ କେନ୍ଦୁ କାଠ ଉପରେ ପଡିଛି ମାଫିଆଙ୍କ ଲୋଲୁପ ଦୃଷ୍ଟି ।
କେନ୍ଦୁଝର ବନଖଣ୍ଡର ସୀମାନ୍ତ ଅଞ୍ଚଳରୁ ଟ୍ରିପ ଟ୍ରିପ କେନ୍ଦୁ କାଠ ଢେଙ୍କାନାଳ ଜିଲ୍ଲା ଦେଇ ଚୋରା ଚାଲାଣ ହେଉଛି । କାଠ ମାଫିଆ ମାନେ ବେଧଡକ ଚୋରା ଚାଲାଣ କରୁଥିବା ବେଳେ କେନ୍ଦୁଝର ଓ ଢେ଼ଙ୍କାନାଳ ବନ ବିଭାଗ ଏଥି ପ୍ରତି ଆଖି ବୁଜି ଦେଇଛନ୍ତି ।
ଅଭିଯୋଗ ଅନୁଯାୟୀ,କେନ୍ଦୁଝର ବନଖଣ୍ଡ ତେଲକୋଇ ବନାଞ୍ଚଳ ବିମଳା ଫରେଷ୍ଟ ସେକ୍ସନ ରାଇସୁଆଁ ବିଟ୍ ସମାକୁଦ ଗ୍ରାମ ଭୁଲୁକା ହୁଡ଼ି ରୁ ବ୍ୟାପକ କେନ୍ଦୁ ଗଛ କଟା ଯାଇ ଚୋରା ଚାଲାଣ ହେଉଥିବା ଅଭିଯୋଗ ହୋଇଛି । ଢେଙ୍କାନାଳ ଜିଲ୍ଲା ଡୁଲିଆ ଅଞ୍ଚଳର କିଛି କାଠ ମାଫିଆ ଏହି କାରବାର ଚଳାଇ ଥିବା ଅଭିଯୋଗ ହୋଇଛି । ଗ୍ରାମବାସୀ ଏହି ବେଆଇନ କାରବାର କୁ ବିରୋଧ କଲେ କାଠ ମାଫିଆଙ୍କ ନାଲି ଆଖିରେ ଶିକାର ହେଉଛନ୍ତି । ଅନ୍ୟପଟେ ଘଟଣା ସମ୍ପର୍କରେ ଗ୍ରାମବାସୀ ବିମଳା ଫରେଷ୍ଟରଙ୍କୁ ବହୁବାର ଅଭିଯୋଗ କରିଥିଲେ ସୁଦ୍ଧା ସେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନଥିବା ଲୋକେ ଅଭିଯୋଗ ଆଣିଛନ୍ତି । ଏ ସମ୍ବନ୍ଧରେ ବନାଞ୍ଚଳ ଅଧିକାରୀ ଶିବାଜୀ ମୋହନ ରାଓ ଙ୍କୁ ପଚାରିବାରୁ ଘଟଣାସ୍ଥଳ ପରିଦର୍ଶନ କରିବା ସହିତ ଏହା ଉପରେ କଡା ନଜର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
Powered by Froala Editor