ରାମପଲ୍ଲୀ ଗାଁରେ ଗୋଷ୍ଠୀ ସଂଘର୍ଷ: ୫ ଗୁରୁତର, ୧୦ ଆହତ

ଚାନ୍ଦବାଲି : ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ଅଧିନ ରାମପଲ୍ଲୀ ଗାଁରେ ଗୋଷ୍ଠୀ ସଂଘର୍ଷ । ଏଥିରେ ୧୦ ଜଣ ଆହତ ହୋଇଥିବା ବେଳେ ୫ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ସମସ୍ତ ଗୁରୁତରଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଖବର ଅନୁଯାୟୀ, ପୂର୍ବରୁ ଏକ ଗାଁ ରାସ୍ତାର କାମକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଲାଗିରହିଥିଲା । ସେହି ବିବାଦ ସମାଧାନ ହୋଇ ନ ଥିବା ବେଳେ ଗାଁକୁ ଆଉ ଏକ କାମ ଆସିଥିବାରୁ ଏହାକୁ ନେଇ ଗୋଟିଏ ଗୋଷ୍ଠୀ ବିରୋଧ କରିଥିଲେ । ଏହାକୁ ନେଇ ଗତ ସନ୍ଧ୍ୟାରେ କଥା କଟାକଟି ପରେ ବିଳମ୍ବିତ ରାତିରେ ଦୁଇଗୋଷ୍ଠୀ ମଧ୍ୟରେ ଏହା ଉଗ୍ରରୂପ ନେଇଥିଲା । ବାଡି, ଠେଙ୍ଗା ଓ ଶାବଳ ଆକ୍ରମଣରେ ୧୦ ଜଣ ଆହତ ହୋଇଛନ୍ତି । କାହାର ମୁଣ୍ଡ ଫାଟିଛି ତ କାହାର ହାତ ଭାଙ୍ଗିଛି । ତୁରନ୍ତ ସେମାନଙ୍କୁ ଚାନ୍ଦବାଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା । ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କ ମଧ୍ୟରୁ ୫ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ଭଦ୍ରକ ଜିଲ୍ଲା ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି । ଘଟଣାସ୍ଥଳରେ ଚାନ୍ଦବାଲି ଆଇଆଇସି ଓ ଏସଡିପିଓ ପହଂଚି ତଦନ୍ତ ଆରମ୍ଭ କରିଥିବା ବେଳେ ଗାଁରେ ପୋଲିସ୍ ମୁତୟନ ଅଛନ୍ତି ।
Powered by Froala Editor