ଏମାନେ ବି ହେଲେ କରୋନା ସମ୍ମୁଖ ଯୋଦ୍ଧା
ବନ ଅଧିକାରୀ, ଫରେଷ୍ଟ ଗାର୍ଡଙ୍କ ସହ ବ୍ୟାଙ୍କ, ବୀମା କଂପାନୀ ଓ ATM ଦାୟିତ୍ୱରେ ଥିବା କର୍ମଚାରୀଙ୍କୁ ମିଳିଲା ସମୁଖ ଯୋଦ୍ଧା ମାନ୍ୟତା। କେବଳ ଏତିକି ନୁହେଁ ଫିଲିଂ ଷ୍ଟେସନ ଓ କଷ୍ଟମର କେୟାର କର୍ମଚାରୀ, ରେଲେଓ୍ୱ ଷ୍ଟାଫ୍, ଅକ୍ସିଜେନ ପ୍ଲାଣ୍ଟ କର୍ମଚାରୀ, ଜିଲ୍ଲା ଶିଶୁ ସୁରକ୍ଷା ଷ୍ଟାଫ୍ ବି ସମ୍ମୁଖ ଯୋଦ୍ଧାରେ ସାମିଲ୍ ହୋଇଛନ୍ତି। ସେହିପରି ୧୦୮ ହେଲପ୍ ଲାଇନ୍ ନମ୍ବର ଷ୍ଟାଫ୍ ଓ କଲ୍ ସେଣ୍ଟର କର୍ମଚାରୀଙ୍କୁ ଏହି ମାନ୍ୟତା ମିଳିଛି ।
ରାଜ୍ୟରେ ସଂକ୍ରମଣ ବଢିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୦,୬୪୯ ଜଣ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଫଳରେ ରାଜ୍ୟରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୫ ଲକ୍ଷ ୭୬ ହଜାର ୨୯୭ ରେ ପହଞ୍ଚି ଯାଇଛି । ଖୋର୍ଦ୍ଧା ଜିଲ୍ଲାରେ ସଂକ୍ରମଣର ସ୍ଥିତି ଦିନକୁ ଦିନକ ବିସ୍ଫୋରକ ହେଉଛି ।
ସେପଟେ, ଶିଶୁ, କିଶୋର ଓ ଗର୍ଭବତୀଙ୍କ ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଆଡଭାଇଜରି କରିଛି । କରୋନା ଦ୍ୱିତୀୟ ଲହରକୁ ଦୃଷ୍ଟିରେ ରଖି ଆଡଭାଇଜରି ଜାରି କରିଛି ବିଭାଗ। ସୂଚନା ଅନୁସାରେ, ୨ରୁ ଅଧିକ ବର୍ଷର ଶିଶୁଙ୍କୁ ମାସ୍କ ପିନ୍ଧିବାକୁ ସ୍ୱାସ୍ଥ୍ୟ ବିଭାଗ ପରାମର୍ଶ ଦେଇଛି। ପଦାକୁ ବାହାରିବା ପୂର୍ବରୁ ୨ ବର୍ଷରୁ ଊର୍ଦ୍ଧ୍ୱ ଶିଶୁଙ୍କୁ ମାସ୍କ ପିନ୍ଧିବାକୁ ପରାମର୍ଶ ଦିଆଯାଇଛି। ଏହାସହ ଶିଶୁଠାରେ ବି ଲକ୍ଷଣ ଦେଖାଦେଲେ ତୁରନ୍ତ ଟେଷ୍ଟିଂ ପାଇଁ ପରାମର୍ଶ ଦିଆଯାଇଛି। ଟେଷ୍ଟିଂ ସହ ଆଇସୋଲେସନ ଓ ଚିକିତ୍ସା ପରାମର୍ଶ ନେବାକୁ ବି ନିର୍ଦ୍ଦେଶ ଜାରି ହୋଇଛି। କେବଳ ଏତିକି ନୁହେଁ ବରଂ ଝାଡ଼ା, ବାନ୍ତି, ପେଟ ବ୍ୟଥା, ଥଣ୍ଡା, କାଶ ହେଲେ ଡାକ୍ତରଙ୍କ ପରାମର୍ଶ ନେବାକୁ କୁହାଯାଇଛି।
Powered by Froala Editor