ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ଜଳକା ନଦୀର ଜଳସ୍ତର
ଭୁବନେଶ୍ୱର: ପ୍ରବଳ ବର୍ଷା ଯୋଗୁଁ ବଢୁଛି ଜଳକା ନଦୀର ଜଳସ୍ତର । ସକାଳ ୮ଟା ସୁଦ୍ଧା ଜଳସ୍ତର ବୃଦ୍ଧି ପାଇ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ମଥାନୀ ଠାରେ ବିପଦ ସଙ୍କେତ ୫. ୫୦ ମିଟର ଥିବା ବେଳେ ବର୍ତମାନ ସୁଦ୍ଧା ୫ . ୬୦ମିଟରରେ ପ୍ରବାହିତ ହେଉଛି ଜଳ । ବର୍ଷା ଲାଗିରହିିଥିବା ସହ ଉପର ମୁଣ୍ଡରେ ବର୍ଷା ଯୋଗୁଁ ଜଳସ୍ତର ଅଧିକ ବୃଦ୍ଧି ପାଇବାର ଆଶଙ୍କା କରାଯାଉଛି । ସୂଚନା ଅନୁଯାୟୀ ଦୁଇ ଦିନ ଧରି ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ଦେଇ ପ୍ରବାହିତ ହେଉଥିବା ଜଳକା ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ନଦୀର ଉପର ମୁଣ୍ଡ ମୟୁରଭଂଜ ଜିଲ୍ଲାର ସୁଳିଆପଦା, ମୋରଡା, ତିତ୍ରଡା, ରାସଗୋବିନ୍ଦପୁର ଅଂଚଳରେ ବର୍ଷା କାରଣରୁ ବଢୁଛି ନଦୀର ଜଳସ୍ତର ।
ଲଘୁଚାପ ଯୋଗୁ ଲଗାଣ ବର୍ଷା । ବିଭିନ୍ନ ସ୍ଥାନରେ ପାଣି ଜମି ରହିଥିବା ବେଳେ ବଢୁଛି ନଦୀର ଜଳ ସ୍ତର । ସେହିଭଳି ଗଜପତି ଜିଲ୍ଲାରେ ବିଭିନ୍ନ ସ୍ଥାନ ଜଳମଗ୍ନ ହୋଇପଡ଼ିଛି । ସଂଧ୍ୟାସୁଦ୍ଧା ବର୍ଷା ଜାରି ରହିଲେ କାଶୀନଗର ଅଞ୍ଚଳରେ ପାଣି ପଶିବାର ସମ୍ଭାବନା ରହିଛି । ସେହିଭଳି ବର୍ଷା ଯୋଗୁ ଫୁଲୁଛି ବଂଶଧାରା ନଦୀ ।
ଅନ୍ୟପକ୍ଷରେ ଅବପାତର ରୂପ ନେଲା ସ୍ପଷ୍ଟ ଚିହ୍ନିତ ଲଘୁଚାପ । ଦକ୍ଷିଣ ଓଡ଼ିଶା ଏବଂ ପାଶ୍ୱବର୍ତୀ ଅଂଚଳରେ ସ୍ପଷ୍ଟ ଚିହ୍ନିତ ଲଘୁଚାପ ଘନୀଭୂତ ହୋଇ ଅବପାତରେ ପରିଣତ ହୋଇଛି । ଅବପାତ ଏବେ ଉତରପଶ୍ଚିମ ଗୋପାଳପୁରଠାରୁ ୨୦ କିଲୋମିଟର ଦୂରରେ ରହିଛି । ଅବପାତ ପ୍ରଭାବରେ ରାଜ୍ୟରେ ଲାଗି ରହିବ ବର୍ଷା । ଆଜି ୮ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ଏହି ସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି । ଏହି ଜିଲ୍ଲାଗୁଡ଼ିକ ହେଲା ବରଗଡ଼, ସୋନପୁର, ବୌଦ୍ଧ, କନ୍ଧମାଳ, ବଲାଙ୍ଗୀର, ନୂଆପଡ଼ା, କଳାହାଣ୍ଡି, ନବରଙ୍ଗପୁର । ସେହିପରି ୧୬ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ୧୨ ଓ ୧୩ ତାରିଖରେ ମଧ୍ୟ ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରାଯାଇଛି । ଅନ୍ୟପଟେ ଆସନ୍ତା ୧୭ ତାରିଖ ଦିନ ଆଉ ଏକ ଲଘୁଚାପ ଆସିପାରେ ବୋଲି ଆକଳନ କରିଛି ଆଂଚଳିକ ପାଣିପାଗ କେନ୍ଦ୍ର ।
Powered by Froala Editor