୨୪ ବର୍ଷରେ ୫ ହଜାର କାର୍ ଚୋରି : ଏମିତି କାର୍ ଚୋରକୁ ଧରିଲା ଦିଲ୍ଲୀ ପୁଲିସ

ଦିଲ୍ଲୀ ପୁଲିସ୍ ସୋମବାର ସବୁଠୁ ବଡ଼ କାର୍ ଚୋର ଅନୀଲ ଚୌହାନକୁ ଗିରଫ କରିଛି । ସେ ଦେଶର ସବୁଠୁ ବଡ଼ କାର୍ ଚୋର ବୋଲି ନିଜେ ଦିଲ୍ଲୀ ପୁଲିସ୍ ଦାବି କରିଛି। ସେ ୨୪ ବର୍ଷରେ ୫ ହଜାର କାର୍ ଚୋରି କରିଛି । ଅନୀଲ ପୂରା ଦେଶର ତାର ଚୋରି ନେଟ୍ୱାର୍କ ବିଛାଇ ରଖିଥିଲା। ଆଉ ୨୪ ବର୍ଷ ପରେ ଶେଷରେ ଧରାପଡ଼ିଲା ।
ଦିଲ୍ଲୀ ପୁଲିସ୍ ଦେଇଥିବା ସୂଚନା ଅନୁଯାୟୀ, ୫୨ ବର୍ଷୀୟ ଅନୀଲ ଗତ ୨୪ ବର୍ଷରେ ୫ ହଜାରରୁ ଅଧିକ କାର୍ ଚୋରି କରିଛି। ସେ ବିଳାସମୟ ଜୀବନ ବଞ୍ଚୁଛି। ଦିଲ୍ଲୀ, ମୁମ୍ବାଇ ଓ ଉତ୍ତର-ପୂର୍ବ ରାଜ୍ୟ ଗୁଡ଼ିକରେ ତା’ର ଅନେକ ସଂପତ୍ତି ରହିଛି। ଏଥିପାଇଁ ତା ବିରୋଧରେ ୫ କି ୧୦ ନୁହେଁ ଏକଥାରେ ୧୮୦ଟି ମାମଲା ରୁଜୁ ହୋଇଛି। ଗିରଫ ବେଳେ ୬ଟି ଦେଶୀ ବନ୍ଧୁକ ସହ ୭ଟି ଅଫୁଟା ଗୁଳି ଜବତ କରିଛି ପୁଲିସ। ଏଥିସହିତ ଗୋଟିଏ ଚୋରି ମଟରସାଇକେଲ ଓ କାର ବି ଜବତ କରାଯାଇଛି।
ସେଣ୍ଟ୍ରାଲ୍ ଦିଲ୍ଲୀର ଡେପୁଟି କମିଶନର ଶ୍ୱେତା ଚୌହ୍ୱାନ ସୂଚନା ଅନୁସାରେ, ଦିଲ୍ଲୀରେ ବେଆଇନ ଅସ୍ତ୍ରଶସ୍ତ୍ର କାରବାର ନେଇ ଖବର ପାଇଥିଲା ପୁଲିସ। ଏହାପରେ ଚୋର ଧରିବାକୁ ସେଣ୍ଟ୍ରାଲ୍ ଡିଷ୍ଟ୍ରିକ୍ଟର ସ୍ପେଶାଲ ଷ୍ଟାଫ୍ ତଦନ୍ତ ଆରମ୍ଭ କରିଦେଲେ। ଏହି ସମୟରେ ବଡ଼ କାର୍ ଚୋର ଓ ଅସ୍ତ୍ର ଚାଲାଣକାରୀ ଅନୀଲ ଚୌହ୍ୱାନ ସେଣ୍ଟ୍ରାଲ ଦିଲ୍ଲୀର ଡିବିଜି ରୋଡ୍ ପୁଲିସ ଷ୍ଟେସନ୍ର ଏରିଆରେ ପହଞ୍ଚିଥିବା ଜାଣିବା ପରେ ସତର୍କ ହୋଇଥିଲା ପୁଲିସ। ଶେଷରେ ଟିମ୍ ଗଠନ କରି ଅଗଷ୍ଟ ୨୩ ତାରିଖରେ ଅନୀଲକୁ ଗିରଫ କରିଥିଲା ପୁଲିସ୍।
ଅନୀଲ ଦିଲ୍ଲୀର ଖାନପୁର ଅଞ୍ଚଳରେ ଅଟୋ ଚଲାଉଥିଲା। ସେ ୧୯୯୫ ମସିହାରେ ପ୍ରଥମେ କାର୍ ଚୋରି କରିବା ଆରମ୍ଭ କରିଥିଲା। ସେହି ସମୟରେ ସେ ମାରୁତି ୮୦୦ କାର୍ ଚୋରି କରୁଥିଲା। ସେ ଦେଶର ବିଭିନ୍ନ ସ୍ଥାନରୁ କାର୍ ଚୋରି କରି ଜମ୍ମୁ-କଶ୍ମୀର ଏବଂ ଉତ୍ତର-ପୂର୍ବ ରାଜ୍ୟ ଗୁଡ଼ିକ ସହିତ ନେପାଳକୁ ପଠାଉଥିଲା। ଚୋରି କଲା ବେଳେ ସେ କିଛି ଟ୍ୟାକ୍ସି ଡ୍ରାଇଭରଙ୍କୁ ହତ୍ୟା ମଧ୍ୟ କରିଥିଲା। ପୂର୍ବରୁ ସେ ଏକାଧିକ ଥର ଗିରଫ ହୋଇଥିଲା। ୨୦୧୫ରେ ଜଣେ କଂଗ୍ରେସ ବିଧାୟକଙ୍କ ସହିତ ତାକୁ ଗିରଫ କରାଯାଇଥିଲା। ସେ ୫ ବର୍ଷ ଜେଲ୍ରେ ରହିଥିଲା। ୨୦୨୦ରେ ତାକୁ ଛଡ଼ା ଯାଇଥିଲା। ତା’ ନାଁରେ ୧୮୦ଟି ମାମଲା ରୁଜୁ ହୋଇଛି।
ଅନୀଲ ଏବେ ଆସାମରେ ରହୁଛି। ସେଠାରେ ସେ ତିନି ଜଣଙ୍କୁ ବାହା ହୋଇଛି। ତା’ର ୭ ଜଣ ସନ୍ତାନସନ୍ତତି ଅଛନ୍ତି।
Powered by Froala Editor