ଆମ୍ବୁଲାନ୍ସ ପାଖରେ ପହଞ୍ଚିବାକୁ ଦେଢ କି.ମି ଷ୍ଟ୍ରେଚରରେ ବୁହାହେଲେ ଗର୍ଭବତୀ, ବାଟରେ ପ୍ରସବ

ସରକାର ଜନନୀ ସୁରକ୍ଷା ପାଇଁ କେତେ ନା କେତେ ଯୋଜନା କରିଚାଲିଛନ୍ତି । ହେଲେ ତାର ଫଳ କେତେ ସଫଳ ତାହା ଦେଖିବାକୁ କେହି ନାହାନ୍ତି । କେବଳ ଦେଖୁଛି ତ ସେହି ଯନ୍ତ୍ରଣା ଭୋଗୁଥିବା ଜନନୀ । ପୁଣି ସେହିଭଳି ଏକ ଘଟଣା ସାମ୍ନାକୁ ଆସିଛି କେନ୍ଦୁଝର ଜିଲ୍ଲା ଯୋଡା ବ୍ଲକ୍ ଅନ୍ତର୍ଗତ ପାଣ୍ଡିଆ ଗାଁରୁ ।
ପାଣ୍ଡିଆ ଗାଁର ଯିଦ୍ଧି ଓରାମ ନାମକ ଜଣେ ଗର୍ଭବତୀ ମହିଳାଙ୍କ ପ୍ରସବ ଜନିତ ଯନ୍ତ୍ରଣା ଅନୁଭବ ହେବାରୁ ୧୦୮ ଆମ୍ବୁଲାନ୍ସକୁ ଫୋନ କରିଥିଲେ ପରିବାର ଲୋକେ । ତେବେ ଉକ୍ତ ଗ୍ରାମକୁ ଭଲ ରାସ୍ତାନଥିବାରୁ ୧୦୮ ଆମ୍ବୁଲାନ୍ସଟି ଗାଁ ଠାରୁ ଦେଢ କିଲୋମିଟର ଦୂର ବ୍ୟବଧାନରେ ଅଟକି ଯାଇଥିଲା । ଏଣେ ମହିଳାଙ୍କ ପ୍ରସବ ବେଦନା ବୃଦ୍ଧି ପାଇବା ସହ ସ୍ୱାସ୍ଥ୍ୟାବସ୍ଥା କ୍ରମଶଃ ଜଟିଳ ହେଉଥିବାର ଲକ୍ଷ୍ୟ କରି ଆମ୍ବୁଲାନ୍ସ କର୍ମଚାରୀ ପ୍ରସୂତୀଙ୍କୁ ଷ୍ଟ୍ରେଚରରେ ଶୁଆଇ ଆମ୍ବୁଲାନ୍ସ ନିକଟକୁ ବୋହି ଆଣିଥିଲେ । ତେବେ ଆମ୍ବୁଲାନ୍ସ ନିକଟରେ ପହଞ୍ଚିବା ପୂର୍ବରୁ ମହିଳା ଜଣକ ରାସ୍ତାରେ କନ୍ୟା ସନ୍ତାନଟିଏ ପ୍ରସବ କରିଥିବା ଖବର ମିଳିଛି । ପରେ ଉଭୟ ମା ଓ ନବଜାତ ଶିଶୁଙ୍କୁ କମାରଯୋଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା । ନବଜାତ ଓ ମା ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଥିବା ଜଣାପଡିଛି ।
Powered by Froala Editor