ଫେରିଲେ ଶ୍ରୀଲଙ୍କାର ପୂର୍ବତନ ରାଷ୍ଟ୍ରପତି

କଲମ୍ବୋ: ଶ୍ରୀଲଙ୍କା ଫେରିଲେ ଗୋଟାବାୟା ରାଜପକ୍ଷେ । ଦୁଇ ମାସ ପୂର୍ବେ ଦେଶ ଛାଡି ପଳାଇଥିବା ପୂର୍ବତନ ରାଷ୍ଟ୍ରପତି ଗୋଟାବାୟା ଶୁକ୍ରବାର ମଧ୍ୟରାତିରେ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିଛନ୍ତି । ସେ ବ୍ୟାଙ୍ଗ୍କକ୍ରୁ ଫେରି କଲମ୍ବୋ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦରରେ ଅବତରଣ କରିଥିଲେ । ସେଠାରେ ତାଙ୍କୁ ଦଳୀୟ ନେତାମାନେ ସ୍ବାଗତ କରିଛନ୍ତି । ଶ୍ରୀଲଙ୍କାରେ ଗୁରୁତର ଆର୍ଥିକ ସଙ୍କଟ ଯୋଗୁଁ ଗୋଟାବାୟା ଦେଶରେ ପ୍ରବଳ ଜନଆକ୍ରୋଶର ଶିକାର ହୋଇ ଜୁଲାଇ ୧୩ରେ କଲମ୍ବୋ ଛାଡି ଚାଲିଯାଇଥିଲେ ।
ଗୋଟାବାୟା ପ୍ରଥମେ ଶ୍ରୀଲଙ୍କା ଛାଡି ମାଲଦ୍ବୀପ ପଳାଇଥିଲେ । ସେଠାରେ କିଛି ଦିନର ରହଣି ପରେ ପୁଣି ସିଙ୍ଗାପୁର ଯାଇ ଆତ୍ମଗୋପନ କରିଥିଲେ । ସେଠାରେ ସେ ଜୁଲାଇ ୧୪ରେ ରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଥିଲେ । ସିଙ୍ଗାପୁର ସରକାର ତାଙ୍କର ୨୮ ଦିନିଆ ଭିସା ଅବଧି ବୃଦ୍ଧି ନ କରିବା ପରେ ପୁଣିଥରେ ଗୋଟାବାୟା ବ୍ୟାଙ୍ଗକକ୍ ଚାଲିଯାଇଥିଲେ । ନିଜର ପତ୍ନୀଙ୍କ ସହ ବ୍ୟାଙ୍ଗକକ୍ର ଏକ ଥାଇ ହୋଟେଲରେ ସେ ରହୁଥିଲେ । ଶ୍ରୀଲଙ୍କା ପୋଦୁଇନ ପେରାମୁନାରର ଅନୁରୋଧ କ୍ରମେ ରାଷ୍ଟ୍ରପତି ରାନିଲ ବିକ୍ରମସିଙ୍ଘେ ଗୋଟାୟାବାୟଙ୍କୁ ଫେରାଇ ଆଣିବାର ବ୍ୟବସ୍ଥା କରିଥିଲେ ।
ଶ୍ରୀଲଙ୍କା ସ୍ବାଧୀନତା ପରଠୁ ସବୁଠୁ ବଡ ଆର୍ଥିକ ସଙ୍କଟର ସମ୍ମୁଖୀନ ହେଉଛି । ଖାଦ୍ୟ ପଦାର୍ଥ ଠାରୁ ନେଇ ଜୀବନ ରକ୍ଷାକାରୀ ଔଷଧ ଯାଏଁ ଅତି ଜରୁରୀ ସାମଗ୍ରୀ ପାଇଁ ଦେଶବାସୀ ସଂଘର୍ଷ କରୁଛନ୍ତି । ଏହି ଆର୍ଥିକ ସଙ୍କଟ ପାଇଁ ଶ୍ରୀଲଙ୍କା ଲୋକେ ସରକାରଙ୍କୁ ଦାୟୀ କରି ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲେ । ଉତ୍ୟକ୍ତ ଲୋକେ ରାଷ୍ଟ୍ରପତି ଭବନରେ ଧସେଇ ପଶିବା ସହ ବ୍ୟାପକ ଭଙ୍ଗାରୁଜା ଓ ପୋଡାଜଳା କରିଥିଲେ । ନିଜ ଦେଶରେ ଏଭଳି ଜନ ଆନ୍ଦୋଳନର ଶିକାର ହୋଇ ଗତ ଜୁଲାଇ ୧୩ ତାରିଖରେ ଗୋଟାବାୟା ରାଜପକ୍ଷେ ଶ୍ରୀଲଙ୍କା ଛାଡି ମାଲଦ୍ବୀପ ପଳାଇ ଯାଇଥିଲେ । ଏହାପରେ ସେ ରାଷ୍ଟ୍ରପତି ପଦ ଛାଡିବା ସହ ତାଙ୍କ ଭାଇ ମଧ୍ୟ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ।
Powered by Froala Editor