କରୋନା ମୁକାବିଲା : ମୋଦି ଦେଲେ ୫ ସୂତ୍ରୀ ମନ୍ତ୍ର
କରୋନା ସଂକ୍ରମଣର ଅହେତୁକ ବୃଦ୍ଧି ଯୋଗୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ କରୋନା ବୃଦ୍ଧି ଏବଂ ଟିକାକରଣ ଅଭିଯାନ ସହ ଜଡିତ ପ୍ରସଙ୍ଗ ଗୁଡ଼ିକର ସମୀକ୍ଷା କରାଯାଇଥିଲା। ପରିସ୍ଥିତି ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କରୋନାକୁ ଦୂର କରିବା ପାଇଁ ସଚେତନତା ରଖିବାର ଆବଶ୍ୟକତା ରହିଛି। ଲୋକଙ୍କୁ ସଚେତନ କରାଇବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୋଦି।
ବୈଠକରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ, କ୍ୟାବିନେଟ୍ ସଚିବ ଓ ସ୍ବାସ୍ଥ୍ୟ ସଚିବଙ୍କ ସମେତ ସମସ୍ତ ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ। ତେବେ ସର୍ବୋପରି ବିଭିନ୍ନ ଗୋଷ୍ଠୀ ବା ସମ୍ପ୍ରଦାୟ ମଧ୍ୟରେ ସତଚେତନତା ସୃଷ୍ଟି ସହ ସେମାନେ ଏହି ଲଢ଼େଇରେ ସାମିଲ ହେବା ଦ୍ବାରା ଉପୁଜିଥିବା ସ୍ଥିତିରୁ ତ୍ରାହି ମିଳିପାରିବ ବୋଲି ମୋଦୀ କହିଥିଲେ। ଏଥିପାଇଁ ଜନଭାଗୀଦାରି ଓ ଜନସଚେତନତା ଉପରେ ସେ ଗୁରୁତ୍ବାରୋପ କରିଥିଲେ। ସେହିପରି ନମୁନା ପରୀକ୍ଷଣ, ଚିହ୍ନଟ, ଚିକିତ୍ସା, କୋଭିଡ୍ ନିୟମ ଅନୁପାଳନ ଓ ଟିକାକରଣ ପରି ପାଞ୍ଚସୂତ୍ରୀ ଯୋଜନାକୁ ଗୁରୁତ୍ବ ଏବଂ ପ୍ରତିବଦ୍ଧତାର ସହ କାର୍ଯ୍ୟକାରୀ କରାଗଲେ କରୋନା ସଂକ୍ରମଣକୁ କାବୁ କରାଯାଇପାରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ଏହାସହ ଆଗାମୀ ୬ ତାରିଖରୁ ୧୪ ତାରିଖ ଯାଏ ଏକ ସ୍ବତନ୍ତ୍ର ପ୍ରଚାର ଅଭିଯାନ କରାଯିବ ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି। ଏଥିରେ ଲୋକଙ୍କୁ ଶତପ୍ରତିଶତ ମାସ୍କର ବ୍ୟବହାର, ବ୍ୟକ୍ତିଗତ ସ୍ବଚ୍ଛତା ଏବଂ ସର୍ବସାଧାରଣ ସ୍ଥାନ/ କର୍ମକ୍ଷେତ୍ରରେ ପରିଷ୍କାର ପରିଚ୍ଛନ୍ନତା ବିଷୟରେ ସୂଚନା ଦିଆଯିବ। ସୂଚନାଯୋଗ୍ୟ,ରବିବାର ଭାରତରେ ୯୩,୨୪୯ କରୋନା ମାମଲା ସାମ୍ନାକୁ ଆସିଥିଲା। ଏହାକୁ ମିଶାଇ ଦେଶରେ ସମୁଦାୟ ସଂକ୍ରମଣ ସଂଖ୍ୟା ୧,୨୪,୮୫,୫୦୯କୁ ବୃଦ୍ଧି ପାଇଛି। ବଢୁଥିବା କରୋନା ମାମଲାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା।