ଶୁଦ୍ଧିକ୍ରିୟାରେ ଯାଇଥିଲେ ମା’ ପୁଅ, ଶବ ହୋଇ ଫେରିଲେ

ଝାରସୁଗୁଡ଼ା: ସମ୍ପର୍କିୟଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ପାଇଁ ଯାଇଥିଲେ। ହେଲେ ଶବ ହୋଇ ଫେରିଲେ ମା’ ପୁଅ। ଝାରସୁଗୁଡା ଜିଲ୍ଲା ବନହରପାଲି ଥାନା ଅନ୍ତର୍ଗତ ବାସୁପାଲି ଗ୍ରାମରେ ଏଭଳି ଅଘଟଣ ଘଟିଛି। ମୃତକମାନେ ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ଦର୍ଲିପାଲି ଗ୍ରାମର କସ୍ତୁରୀ ରୋହିଦାସ(୫୦) ଓ ତାଙ୍କ ପୁଅ ଡୋଳାମଣି ରୋହିଦାସ(୨୭)। ଏହି ବଜ୍ରାଘାତରେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି। ସେ ହେଲେ ବାସୁପାଲିର ମହେନ୍ଦ୍ର ରୋହିଦାସ। ସେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।
ସୂଚନା ମୁତାବକ, ସମସ୍ତେ ବାସୁପାଲି ଗ୍ରାମକୁ ଏକ ଶୁଦ୍ଧି କ୍ରିୟାରେ ଯୋଗ ଦେବାପାଇଁ ଯାଇଥିଲେ। ଶୁଦ୍ଧିକ୍ରିୟାର ଏକାଦଶାହ ଭୋଜି ଚାଲିଥିବା ବେଳେ ବଜ୍ରାଘାତ ହୋଇଥିଲା। ଯେଉଁଥିରେ ମା’, ପୁଅ ଓ ଅନ୍ୟ ଜଣେ ଭୋଜି ଖାଇବା ସ୍ଥାନରେ ଅଚେତ ହୋଇପଡ଼ିଥିଲେ। ସେମାନଙ୍କୁ ତୁରନ୍ତ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଥିଲା। ହେଲେ ସେଠାରେ ଡାକ୍ତର ମା’ ଓ ପୁଅଙ୍କୁ ମୃତ ଘୋଷଣା କରିଥିଲେ।
ଏହି ଘଟଣା ପରେ ଏହି ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
Powered by Froala Editor